ଅନ୍ୟାନ୍ୟ

ଅନୁଗୁଳରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

By Angul TV Bureau

January 06, 2023

ଅନୁଗୁଳ: ୭୪ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ୱାଇଁ ସୂଚନା ଦେଇଥିଲେ ଯେ ସକାଳ ୬.୩୦ରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରଭାତଫେରିରୁ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ମୁଖ୍ୟ ଉତ୍ସବ ଦିନ ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଆନୁଷ୍ଠାନିକ ପରେଡ ମାର୍ଚ୍ଚ ପାଷ୍ଟ ପରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବେ। ଅନୁଗୁଳ ଷ୍ଟାଡିୟମରେ ରାଜ୍ୟ ସରକାରଙ୍କ ଦ୍ବାରା ସ୍ଥିରୀକୃତ ମୁଖ୍ୟ ଅତିଥି ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ କ୍ୟାଡେଟଙ୍କ ଠାରୁ ଅଭିବାଦନ ଗ୍ରହଣ କରିବେ। ପରେ ବିଭିନ୍ନ ସରକାରୀ ବିଭାଗ ଓ ରାଷ୍ଟ୍ରାୟତ୍ତ ସଂସ୍ଥା ପରେଡ୍ ପଡିଆରେ ପ୍ରଜ୍ଞାପନ ମେଢ ପରିକ୍ରମା କରି ବିଭାଗୀୟ କାର୍ଯ୍ୟକ୍ରମକୁ ନେଇ ସଚେତନତା ସୃଷ୍ଟି କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଥିଲେ। ସାଧାରଣତନ୍ତ୍ର ଦିବସ ପାଇଁ ବକ୍ତୃତା, ଦେଶାତ୍ମବୋଧକ ସଂଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଚଳିତ ମାସ ୧୨ ଓ ୧୩ ତାରିଖରେ ଆୟୋଜିତ ହେବ। ସେହିପରି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା(ତର୍କ) ଓ ପ୍ରି- ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ (ରଂଗଭରୋ) ପ୍ରତିଯୋଗିତା ମଧ୍ୟ ୧୩ ତାରିଖରେ ଅନୁଷ୍ଠିତ ହେବ। ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୌତୁକ ପୋଷାକ ପ୍ରତିଯୋଗିତା ଓ ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକକ ଅଭିନୟ ପ୍ରତିଯୋଗିତା ସାଧାରଣତନ୍ତ୍ର ଦିବସ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ପୂର୍ବରୁ ଅପରାହ୍ନ ୪.୦୦ ଘଟିକାରେ ଅନୁଷ୍ଠିତ ହେବ।

ସେହିପରି ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବ୍ଲଡ ବ୍ୟାକ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୋଗୀଙ୍କୁ ଫଳ ବଣ୍ଟନ,ଜିଲ୍ଲା କାରାଗାରରେ ମିଷ୍ଟନ୍ନ ବଣ୍ଟନସହ ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା ତ୍ରୀଲୋଚନ ପ୍ରଧାନ, ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ, ଜିଲ୍ଲା ସ୍ତ୍ରୀୟ ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ପୋଲିସ ରିଜର୍ଭ ଇନିସପ୍ଟେର, ସ୍ବେଚ୍ଛାସେବୀ ଓ ବୁଦ୍ଧିଜୀବୀ ମାନେ ଯୋଗଦେଇ ସୋମନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଶେଷରେ ଜିଲ୍ଲାପରିଷଦ ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।