ମୁଖ୍ୟ ଖବର

ଜମିଜମା କମ୍ପ୍ୟୁଟରୀକରଣରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅନୁଗୁଳ ଜିଲ୍ଲାକୁ ଭୂମି ସମ୍ମାନ ପ୍ଲାଟିନମ ପ୍ରମାଣପତ୍ର ପ୍ରଦାନ କଲେ ରାଷ୍ଟ୍ରପତି

By Biswaranjan Pattnaik

July 19, 2023

ଅନୁଗୁଳ: ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଶ୍ରେଷ୍ଠ ପାରଦର୍ଶିତା ପାଇଁ ଅନୁଗୁଳ ଜିଲ୍ଲାକୁ ଭୂମି ସମ୍ମାନ ପ୍ଲାଟିନମ ପ୍ରମାଣପତ୍ର ପ୍ରଦାନ କରାଯାଇଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୂମି ସଂସ୍କାର କ୍ଷେତ୍ରରେ ଭାରତର ଶ୍ରେଷ୍ଠ ୬୮ ଜିଲ୍ଲାକୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଛନ୍ତି। ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଭୂମି ସଂସ୍କାର ନିମନ୍ତେ ଜିଲ୍ଲାରେ ନିଆଯାଇଥିବା ତ୍ୱରିତ ଓ ସଫଳ କାର୍ଯ୍ୟକ୍ରମ ପାଇଁ ଜମିପଟ୍ଟାର କମ୍ପ୍ୟୁଟରୀକରଣ, ଜମି ରେଜିଷ୍ଟ୍ରେସନ କାର୍ଯ୍ୟକ୍ରମର ସରଳୀକରଣ ଓ ସ୍ୱଚ୍ଛତା ଅନୁପାଳନ, ଆଧୁନିକ ରେକର୍ଡରୁମ ପରିଚାଳନା ଓ ଜମିଜମା କାଗଜପତ୍ରର ସ୍କାନିଂ ଓ କମ୍ପ୍ୟୁଟରୀକରଣ, ତହସିଲ ଓ ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ମଧ୍ୟରେ ସଂଯୋଜନା ପ୍ରଭୃତି କ୍ଷେତ୍ରରେ ଅନୁଗୁଳ ଜିଲ୍ଲାର ୮ ଗୋଟି ତହସିଲରେ ଆଶାନୁରୂପକ ଉନ୍ନତି ପ୍ରଦର୍ଶନ ସହ ସଫଳତା ହାସଲ କରିଥିବା ହେତୁ ଭାରତ ସରକାରଙ୍କ ତରଫରୁ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ.ଆଇ.ସି.) ଦ୍ବାରା ବିକଶିତ ସଫ୍ଟୱେୟାର ମାଧ୍ୟମରେ ଏହି କମ୍ପ୍ୟୁଟରୀକରଣ କାର୍ଯ୍ୟ ଜିଲ୍ଲାରେ ସଫଳ ଭାବରେ କରାଯାଇଛି।