ଅନୁଗୁଳ: ରାଜ୍ୟ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭ ଶର୍ମା ଆଜି ଅନୁଗୁଳ ଜିଲ୍ଲା ଗସ୍ତ କରି ବିଭିନ୍ନ ଜନହିତକର ଯୋଜନା ଓ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କରିବା ସହ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ଜିଲ୍ଲାର ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ, ପାନୀୟ ଜଳ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟକୁ ସେ ଅତି ନିକଟରୁ ତଦାରଖ କରିଥିଲେ। ସଚିବଙ୍କ ଏହି ଗସ୍ତ ସମୟରେ ଅନୁଗୁଳ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତର ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶ୍ରୀମତୀ ଶର୍ମା ପୁରୁଣାକୋଟ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ସେଠାରେ ଜଳ ଯୋଗାଣ ଓ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସମ୍ପର୍କରେ ଶିକ୍ଷକମାନଙ୍କ ସହ ଆଲୋଚନା କରିବା ସହ ଜଗନ୍ନାଥପୁର ଅଙ୍ଗନୱାଡ଼ି କେନ୍ଦ୍ରରେ ପିଲାଙ୍କ ପୁଷ୍ଟିକର ଖାଦ୍ୟ ଓ ଶିକ୍ଷାଦାନର ମାନ ପଚାରି ବୁଝିଥିଲେ।ଏହାବ୍ୟତୀତ ସଚିବ ଜଗନ୍ନାଥପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବାର ସ୍ଥିତି ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ବନ୍ତଳାଠାରେ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ପରିଚାଳିତ ମହୁ ଚାଷ କ୍ଲଷ୍ଟର ଏବଂ ବସଲା ଗ୍ରାମ ପଞ୍ଚାୟତରେ ଚାଲିଥିବା ମାଛ ଚାଷ ପ୍ରକଳ୍ପ ପରିଦର୍ଶନ କରି ମହିଳାମାନଙ୍କ ଉଦ୍ୟମକୁ ସେ ଉଚ୍ଚ ପ୍ରଶଂସା କରିଥିଲେ। ଜଳ ଜୀବନ ମିଶନ ଯୋଜନାରେ ବଲାସିଂହା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସମୀକ୍ଷା କରି ପ୍ରତ୍ୟେକ ପରିବାରକୁ ଶୁଦ୍ଧ ଜଳ ଯୋଗାଇ ଦେବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚନ୍ଦ୍ରବାହଳ ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ରରେ ମୋବାଇଲ ଫୋନ ମରାମତି ତାଲିମ ନେଉଥିବା ଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ସେ ଉତ୍ସାହିତ କରିଥିଲେ।
ଗସ୍ତର ଶେଷ ପର୍ଯ୍ୟାୟରେ ସଚିବ ଅନୁଗୁଳ ଜେଲ ପରିସରରେ ଥିବା ଖଦି ହାଣ୍ଡଲୁମ୍ ଲ୍ୟାବ, ମଷ୍ଟାର୍ଡ ଅଏଲ ମେକିଂ ଲ୍ୟାବ ଏବଂ ବାୟୋଫ୍ଲକ ମାଛ ଚାଷ ପ୍ରକଳ୍ପର ଅଗ୍ରଗତି ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ମହନ୍ତ, ଉପଜିଲ୍ଲାପାଳ ମାୟାଧର ବେହେରା ଏବଂ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।