ମୁଖ୍ୟ ଖବର

ଜନଗହଳିପୂର୍ଣ ରାସ୍ତାରେ ଘରୋଇ ଟ୍ରାନ୍ସଫର୍ମର

By Biswaranjan Pattnaik

March 01, 2021

ଅନୁଗୁଳ: ଜନଗହଳିପୂର୍ଣ୍ଣ ବଜାର ମଧ୍ୟରେ ରାସ୍ତା ପାର୍ଶ୍ଵରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଟ୍ରାନଫର୍ମର ସ୍ଥାପନ ନେଇ ବିଳମ୍ବରେ ହେଲେ ବି ଚେତିଛି ପୌର ପ୍ରଶାସନ । ନିତି ଟିକସ ଆଦାୟ କରିବାକୁ ପୌରକର୍ମଚାରୀ ଏହି ରାସ୍ତାରେ ପୂରାଫେରା କରୁଥିଲେ ବି ନଜରଅନ୍ଦାଜ କରିଦେଇଥିଲେ। ଗଣମାଧ୍ୟମରେଏ ସମ୍ପର୍କିତ ରିପୋର୍ଟ ପ୍ରକାଶିତ ହେବା ପରେ ପୌରପାଳିକା ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଶୁକ୍ରବାର ବିଦ୍ୟୁତ୍ ବିଭାଗକୁ ଏ ନେଇ ନୋଟିସ୍ ହୋଇଛି । ପୌରପାଳିକାର ବିନା ଏନ୍‌ଓସିରେ ଏହି ଉଚ୍ଚ କ୍ଷମତା ସମ୍ପନ୍ନ ଗସଫର୍ମର କେମିତି ସ୍ଥାପନ କରାଯାଇଛି ବୋଲି ପ୍ରଶ୍ନ କରାଯାଇଛି । ସେହିପରି ଅନୁଗୁଳ ତହସିକୁ ଚିଠି କରି ସେଇ ଜାଗା ଡିମାର୍କସନ୍ ପାଇଁ ପୌରପାଳିକା ପକ୍ଷରୁ ଅନୁରୋଧ କରାଯାଇଛି ବୋଲି ପୌରପାଳିକା ସୂତ୍ରରୁ ଜଣାପଡ଼ିଛି। ପ୍ରକାଶ ଯେ, ଅନୁଗୁଳ ଶଙ୍କର ସିନେମା ରୋଡ଼ରେ ନିର୍ମାଣାଧୀନ ବହୁତଳ ଏକ ମଲ୍ ପାଇଁ ଜନଗହଳିପୂର୍ଣ୍ଣ ରାସ୍ତାକୁ ଲାଗି ୫୦୦ କେଭିଏର ଏକ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି । ଏହା ବ୍ୟକ୍ତିଗତ ଜାଗା ବୋଲି ଦର୍ଶାଇ ଠିକାଦାର ଜରିଆରେ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଥିବା ବେଳେ ଟିପିସିଓଡିଏଲ୍ ପକ୍ଷରୁ ଏହାର କୌଣସି ତଦନ୍ତ କରାନଯାଇ, ବ୍ୟବସାୟୀଙ୍କ କଥାରେ ହଁ ଭରିଛନ୍ତି । ଏପରିକି ଜନଗହଳିପୂର୍ଣ୍ଣ ରାସ୍ତାରେ ଉଚ୍ଚକ୍ଷମତା ସମ୍ପନ୍ନ ଟ୍ରାନ୍ସଫର୍ମର୍ ସ୍ଥାପନ ପୂର୍ବରୁ ଜନସାଧାରଣଙ୍କ ଉପରେ ସମ୍ଭାବ୍ୟ ବିପଦ ପ୍ରତି  ଅଣଦେଖା କେତେଦୂର ସମୀଚୀନ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ସ୍ଥାନୀୟ ଲୋକ ଏହାର ବିରୋଧ କରିଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗ ଚୁପ୍ ରହିଛି । ବରଂ ଏବେ ଏହାକୁ ନେଇ ଚର୍ଚ୍ଚା ଚାଲିଥିବାରୁ ଚର୍ଚ୍ଚା ଥମିବା ପରେ ପୁଣି କାମ ଆରମ୍ଭ କରିବାକୁ ଯୋଜନା ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।