ପ୍ରତିଭା ଓ ବ୍ୟକ୍ତିତ୍ୱ

ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କୁ ରସାୟନ ବିଜ୍ଞାନରେ ପିଏଚଡ଼ି

By Biswaranjan Pattnaik

July 25, 2025

ଅନୁଗୁଳ: ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ ଝାରଖଣ୍ଡର ରସାୟନ ବିଜ୍ଞାନ ବିଭାଗର ଗବେଷଣାଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାମଲ ସଫଳତା ସହିତ ତାଙ୍କର ଗବେଷଣାକାର୍ଯ୍ୟ ସମାପ୍ତ କରି ପିଏଚଡି ଡିଗ୍ରୀ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତାଙ୍କର ଡକ୍ଟରେଟ୍ କାର୍ଯ୍ୟ ସହାୟକ ପ୍ରଫେସର ଡକ୍ଟର ସୌମେନ୍ ଦେଙ୍କ ନେତୃତ୍ୱରେ ସଫଳତାର ସହ  ସମ୍ପନ୍ନ ହୋଇଥିଲା। ଜଳ ଉପଚାର କ୍ଷେତ୍ରରେ ପ୍ରାକୃତିକ ଓ ସିନ୍ଥେଟିକ  ସାମଗ୍ରୀର ପ୍ରୟୋଗ ଉପରେ  ପ୍ରିୟଙ୍କା ନିଜର ଗବେଷଣା କରିଥିଲେ। ଏହି ଶାସ୍ତ୍ରୀୟ ଉପଲବ୍ଧି ତାଙ୍କ ଦୃଢ଼ ନିଷ୍ଠା, ଶ୍ରମ ଓ ସମର୍ପଣର ଭାବ ର ପ୍ରମାଣ ଦେଇଛି।

ଡକ୍ଟର ପ୍ରିୟଙ୍କାଙ୍କ ଦ୍ୱାରା ୩୦ରୁ ଅଧିକ ଗବେଷଣା ପ୍ରବନ୍ଧ ପ୍ରସିଦ୍ଧ ଆନ୍ତର୍ଜାତୀୟ ଜର୍ଣ୍ଣାଲଗୁଡିକରେ ପ୍ରକାଶିତ ହୋଇଛି। ବିଭିନ୍ନ ରାଷ୍ଟ୍ରୀୟ ଓ ଆନ୍ତର୍ଜାତୀୟ ସମ୍ମିଳନୀରେ ସେ ତାଙ୍କ ଗବେଷଣାକାର୍ଯ୍ୟର ନିବନ୍ଧ ପ୍ରସ୍ତୁତ କରି ଉଚ୍ଚ ପ୍ରଶଂସିତ ହୋଇପାରିଛନ୍ତି। ଢେଙ୍କାନାଳ ଜିଲ୍ଲା ନିବାସୀ ଶରତ କୁମାର ସାମଲ ଓ ମିନତୀ ସାମଲଙ୍କ ଝିଅ ପ୍ରିୟଙ୍କା ନିଜର ଏହି ଗବେଷଣା ପାଇଁ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛନ୍ତି।

ଡକ୍ଟର ପ୍ରିୟଙ୍କା ସାମଲ ତାଙ୍କ ଏହି ଉପଲବ୍ଧିର ମୁଖ୍ୟ ଶ୍ରେୟ ଜଗତରନାଥ ଜଗନ୍ନାଥ ଓ ଗାଇଡ୍ ଡକ୍ଟର ଦେ, ମାତା, ପିତା, ପରିବାରବର୍ଗ, ଶିକ୍ଷକ, ଗୁରୁଜନ ଓ ସମସ୍ତ ଶୁଭେଚ୍ଛୁଙ୍କୁ ଦେଇଛନ୍ତି।ନିକଟରେ  ବିର୍ଲା ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ମେସରାରେ ସେ ପୋଷ୍ଟ ଡକ୍ଟରାଲ ଗବେଷଣା ଜାରି ରଖିଛନ୍ତି।