ଘଟଣା ଓ ଦୁର୍ଘଟଣା

ଘରେ କେହି ନ ଥିବା ବେଳେ ଅଗ୍ନିକାଣ୍ଡ, ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

By Angul TV Bureau

February 15, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ଗାଁରେ ଅଗ୍ନିକାଣ୍ଡରେ ଜଣଙ୍କ ଘର ଜଳିଯାଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ିଯାଇଛି।

ସୂଚନା ମୁତାବକ, ଶନିବାର ପୂର୍ବାହ୍ନରେ ତଳଗଡ଼ ଗାଁ ପ୍ରଧାନସାହିର ବାସିନ୍ଦା ଅଭୟ ପ୍ରଧାନ କାମକୁ ଯାଇଥିଲା ବେଳେ ତାଙ୍କ ପତ୍ନୀ ମମତା ପ୍ରଧାନ ମଧ୍ୟ ଫସଲ ଜଗିବାକୁ କ୍ଷେତକୁ ଯାଇଥିଲେ। ଘରେ କେହି ନଥିବା ସମୟରେ ହଠାତ ଘରଭିତରୁ ଧୂଆଁ ବାହାରୁଥିବା ଗାଁ ଲୋକ ଦେଖିବାକୁ ପାଇଥିଲେ। ଦେଖୁ ଦେଖୁ ଅଭୟଙ୍କ ଦୁଇ ବଖରା ଚାଳ ଛପର ଘରେ ନିଆଁ ମାଡ଼ିଯାଇଥିଲା। ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହ ଅନୁଗୁଳ ଦମକଳ କେନ୍ଦ୍ରକୁ ଯୋଗାଯୋଗ କରିଥିଲେ। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ। ଅଗ୍ନିକାଣ୍ଡରେ ଅଭୟଙ୍କ ଘରେ ଥିବା ଧାନ, ଚାଉଳ, ଆସବାବପତ୍ର ଓ କାଠ ତିଆରି ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି। ପାଖାପାଖି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ ହୋଇଯାଇଥିବା ଜଣାଯାଇଛି।