ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଛକରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଜାତୀୟ ରାଜପଥର ଦୂରବସ୍ଥା ପାଇଁ ଗତ କାଲି ହୋଇଥିବା ଦୁର୍ଘଟଣାରେ ଛାତ୍ରୀଙ୍କ ମୃତ୍ୟୁ ପ୍ରତିବାଦରେ ଏହି ଅବରୋଧ କରାଯାଇଥିଲା। ତେବେ ସ୍ଥାନୀୟ ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ଅପାରଗତା କାରଣରୁ ଜାତୀୟ ରାଜପଥର ନିର୍ମାଣ, ମରାମତି କାର୍ଯ୍ୟ ହୋଇ ପାରୁନଥିବା ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ଜାତୀୟ ରାଜପଥ ଅବରୋଧ କରିଥିବା ଛାତ୍ରଛାତ୍ରୀଙ୍କ ମୁଖ୍ୟ ଦାବି ହେଉଛି ଆଜି ଠାରୁ ଜାତୀୟ ରାଜପଥର ମରାମତି କାର୍ଯ୍ୟ ଆରମ୍ଭ କରାଯାଉ, ବିଦ୍ୟାଳୟ ଯିବା ଠାରୁ ଆସିବା ସମୟ ମଧ୍ୟରେ ନୋ ଏଣ୍ଟ୍ରି ଜୋନ ଘୋଷଣା, ଜିଲ୍ଲା ପ୍ରଶାସନ ରାସ୍ତାର ଅବସ୍ଥାକୁ ତଦାରଖ କରିବାକୁ ଦାବି ହେଉଛି। ଏହି ଅବରୋଧରେ ସମାଜସେବୀ ମହିମା ଜେନା, ବିଜେପି ବଅଁରପାଳ ମଣ୍ଡଳ ସଭାପତି କୀଟୁ ପଣ୍ଡାଙ୍କ ସହ ବଅଁରପାଳ ଅଞ୍ଚଳର ବହୁ ଲୋକ ସମର୍ଥନ କରି ଯୋଗ ଦେଇଥିଲେ। ଖବର ପାଇ ବଅଁରପାଳ ପୋଲିସ, ଅନୁଗୁଳ ଉପ ଜିଲ୍ଲାପାଳ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଲୋକେ ଓହରି ନଥିବା ଜଣାଯାଇଛି।