ମୁଖ୍ୟ ଖବର

କୋଶଳା ଗ୍ରାମବାସୀଙ୍କୁ ମିଥ୍ୟା କେସ୍ ଓ ଗିରଫଦାରୀ ପ୍ରତିବାଦ: ଏସ୍.ପି.ଙ୍କୁ ଦାବିପତ୍ର ପ୍ରଦାନ କଲା ଏସ୍.ୟୁ.ସି.ଆଇ

By Angul TV Bureau

April 17, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା କୋଶଳା ଗ୍ରାମବାସୀଙ୍କ ଉପରେ ହେଉଥିବା ମିଥ୍ୟା ମକଦ୍ଦମା ଓ ଅନ୍ୟାୟ ଗିରଫଦାରୀ ପ୍ରତିବାଦରେ ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କୋଶଳା ଗ୍ରାମ ମଧ୍ୟ ଦେଇ କୋଇଲା ପରିବହନ ଦ୍ୱାରା ସୃଷ୍ଟି ହେଉଥିବା ପ୍ରଦୂଷଣ ଓ ଧନଜୀବନର କ୍ଷୟକ୍ଷତି ବିରୋଧରେ ଗ୍ରାମବାସୀ ଦୀର୍ଘ ୪୦ ଦିନ ଧରି ଗାଣତାନ୍ତ୍ରିକ ପଦ୍ଧତିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିଛନ୍ତି। ମାତ୍ର ପ୍ରଶାସନ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ କମ୍ପାନୀ ସ୍ୱାର୍ଥରେ ବଳପୂର୍ବକ କୋଇଲା ପରିବହନ ପାଇଁ ଉଦ୍ୟମ କରିବା ସହ ଆନ୍ଦୋଳନକାରୀଙ୍କୁ ଭୟଭୀତ କରୁଥିବା ଅଭିଯୋଗ ହୋଇଛି।

ଏସ୍.ୟୁ.ସି.ଆଇର ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜୀବ ଲୋଚନ ପଣ୍ଡାଙ୍କୁ ଭେଟି କୋଇଲା ପରିବହନ ପାଇଁ ସ୍ୱତନ୍ତ୍ର କୋଲ୍ କରିଡର ନିର୍ମାଣ ଓ ଗିରଫଦାରୀ ବନ୍ଦ ପାଇଁ ଦାବି କରିଛନ୍ତି। ଆଲୋଚନା ସମୟରେ ପୋଲିସ ବଳପୂର୍ବକ ହସ୍ତକ୍ଷେପ କରିବ ନାହିଁ ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଛେଣ୍ଡିପଦା ବ୍ଲକର ବିଭିନ୍ନ ସମସ୍ୟା ଓ ଦୁର୍ଗାପୁରଠାରେ ଜମି ଅଧିଗ୍ରହଣ ବନ୍ଦ ପାଇଁ ମଧ୍ୟ ଦାବି ହୋଇଛି। ଏହି ପ୍ରତିନିଧି ମଣ୍ଡଳୀରେ ନବକିଶୋର ପ୍ରଧାନ, ସୁବାସ ପ୍ରଧାନ, ତୀର୍ଥବାସୀ ଭୋଇ ପ୍ରମୁଖ ସାମିଲ ହୋଇ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି।