ଅନ୍ୟାନ୍ୟ

ଶିକ୍ଷକଙ୍କ ବଦଳିକୁ ବିରୋଧ: ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ

By Angul TV Bureau

August 21, 2024

ଅନୁଗୁଳ: ଆମ ସାରଙ୍କୁ ଆମେ ଛାଡ଼ିବୁ ନାହିଁ … କିଛି ଏମିତି କହି ସ୍କୁଲ ସାମ୍ନାରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ। ସ୍ଥାନୀୟ ବଅଁରପାଳ ବ୍ଲକ କଞ୍ଜରା ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଆଜି ଛାତ୍ରଛାତ୍ରୀ ଓ ଅଭିଭାବକ ବିଦ୍ୟାଳୟ ସାମ୍ନାରେ ଆନ୍ଦୋଳନ କରିଛନ୍ତି।

ସୂଚନା ମୁତାବକ, କଞ୍ଜରା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଶିକ୍ଷକଙ୍କ ଅଭାବ ରହିଛି। ସେହିପରି ଉଚ୍ଚ ବିଦ୍ୟାଳୟରେ ମଧ୍ୟ ଶିକ୍ଷକ ଅଭାବ ରହିଛି। ଶତାଧିକ ପିଲାଙ୍କ ପାଇଁ ମାତ୍ର ହାତ ଗଣତି ଶିକ୍ଷକ ରହିଛନ୍ତି । ଏପରି ସ୍ଥିତିରେ ଶିକ୍ଷକ ଅମରେନ୍ଦ୍ର ଦଳେଇଙ୍କର ବଦଳି କରାଯିବ ବୋଲି ଅଭିଭାବକମାନେ ଜାଣିବାକୁ ପାଇଥିଲେ। ତାଙ୍କ ବଦଳି ବାତିଲ କରିବା ପାଇଁ କଞ୍ଜରା ଓ ବଡ଼ହଂସର ଗ୍ରାମବାସୀ ବିଦ୍ୟାଳୟକୁ ଆସି ଏକ ବୈଠକ କରିଥିଲେ। କିନ୍ତୁ ବୈଠକରେ କୌଣସି ନିଷ୍କର୍ସ ବାହାରି ନଥିଲା। ଏଣୁ ଅଭିଭାବକମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଦ୍ୟାଳୟ ବନ୍ଦ କରିଛନ୍ତି। ଶିକ୍ଷକ ସମସ୍ୟାର ସମାଧାନ ନ ହେଲେ ପିଲାଙ୍କୁ ସେମାନେ ସ୍କୁଲକୁ ପଢ଼ିବାକୁ ଛାଡ଼ିବେ ନାହିଁ ବୋଲି ଜିଦ ଧରି ବସିଥିବା ଜଣାଯାଇଛି।