ଅନୁଗୁଳ: କେନ୍ଦ୍ର ସରକାର ରେଳ ବିଭାଗରେ ପୂର୍ବରୁ ଥିବା ନବେ ହଜାର ପଦବୀ ଉଚ୍ଛେଦ କରିବା ନିଷ୍ପଭିକୁ ତୁରନ୍ତପ୍ରତ୍ୟାହାର କରିବା ଏବଂ ରେଳ ବିଭାଗର ଘରୋଇକରଣ ବନ୍ଦ କରିବା ଦାବିରେ ଅଲ୍ ଇଣ୍ଡିଆ ଅନ୍ ଏମ୍ପ୍ଲଏଡ୍ ୟୁଥ୍ ଷ୍ଟ୍ରଗଲ୍ କମିଟି ଅନୁଗୁଳ ଜିଲ୍ଲା ଶାଖା ପକ୍ଷରୁ ଶୁକ୍ରବାର ରେଳ ଷ୍ଟେସନ୍ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଏଥିସହ ପୂର୍ବତଟ ରେଲୱେର ଏଡିଆରଏମ୍ ଅନୁଗୁଳଙ୍କ ଜରିଆରେ ଏକ ଦାବିପତ୍ର କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।
ରେଲୱେ ଭଳି ଦେଶର ସର୍ବାଧିକ ନିଯୁକ୍ତି ପ୍ରଦାନକାରୀ ଏକ ଲାଭଦାୟକ ସଂସ୍ଥାରେ ବେକାର ଯୁବକ-ଯୁବତୀଙ୍କୁ ନିଯୁକ୍ତି ପ୍ରଦାନକରି ଦେଶରୁ ବେକାରୀ ଦୂର କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ସରକାର ଘରୋଇକରଣ ନୀତି ଆପଣେଇ ନବେ ହଜାର ପଦ ଉଚ୍ଛେଦ କରିବା ଅତ୍ୟନ୍ତ ଜନସ୍ୱାର୍ଥ ବିରୋଧ ପଦକ୍ଷେପ ବୋଲି ସ୍ମାରକପତ୍ର ପ୍ରଦାନକରିବା ସମୟରେ ଉପସ୍ଥିତଥିବା ସଂଗଠନର କାର୍ଯ୍ୟକର୍ତ୍ତା ମାନସ ପାଳ, ନିରଞ୍ଜନ ନାୟକ, କୈଳାସ ସାହୁ, ଜ୍ୟୋତ୍ସ୍ନା ସାମଲ, କିଶୋର ବିଶ୍ଵାଳ, ବିଜୟ ସାହୁ, ମଳୟ ବେହେରା ପ୍ରମୁଖ ପ୍ରକାଶ କରିଛନ୍ତି।