ଅନୁଗୁଳ: ଟାଟା ପାୱାରର ମନମୁଖୀ ଶାସନକୁ ଅନୁଗୁଳରେ ବିରୋଧ। କମ୍ପାନୀ ପକ୍ଷରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନାଁରେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଶୋଷଣ ବନ୍ଦ କରିବା, ସ୍ମାର୍ଟ ମିଟର ବସାଇବା ବନ୍ଦ କରିବା ଓ ଶିଳ୍ପ ଖଣି ପ୍ରଦୂଷଣରେ ଜର୍ଜରିତ ଅନୁଗୁଳ ଜିଲ୍ଲାର ଘରୋଇ ଉପଭୋକ୍ତାଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ଦେୟମୁକ୍ତ ବିଦ୍ୟୁତ୍ ଯୋଗାଣ ଦାବିରେ ୨୪ ଡିସେମ୍ବରରେ ଟାଟା ପାୱାର ଅଫିସ୍ ସମ୍ମୁଖରେ ଆନ୍ଦୋଳନ ପାଇଁ “ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି” ପକ୍ଷରୁ ଚେତାବନୀ ଦିଆଯାଇଛି।
ଏନେଇ ଆଜି ଅପରାହ୍ନରେ କମିଟିର ଆବାହକ ପ୍ରମୋଦ କୁମାର ପ୍ରଧାନଙ୍କ ସଭାପତିତ୍ଵରେ ସ୍ଥାନୀୟ ଶିକ୍ଷକପଡାସ୍ଥ ନବକୃଷ୍ଣ ଚୌଧୁରୀ ସ୍ମୃତି ପାଠାଗାର ଠାରେ ଅନୁଷ୍ଠିତ କମିଟିର ଗୁରୁତ୍ଵପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ଅନ୍ୟତମ ଆବାହକ ବରିଷ୍ଠ ଆଇନ୍ଜୀବୀ ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ, ଶିକ୍ଷାବିତ ଅଭିମନ୍ୟୁ ସ୍ୱାଇଁ, ବ୍ରଜବନ୍ଧୁ ସାହୁ, ଦାମୋଦର ଦାସ, ତୀର୍ଥବାସୀ ଭୋଇ, ତ୍ରେତାନନ୍ଦ ସାମନ୍ତ, ନିରୋଦ ଚନ୍ଦ୍ର ପାଳ, ପଠାଣୀ ବରିହା, ଅଶୋକ କୁମାର ପ୍ରଧାନ, ତ୍ରିଲୋଚନ ଜେନା, ହେମନ୍ତ କୁମାର ଦାସ, ମୋହନ ଦେହୁରୀ, ପ୍ରଦୀପ କୁମାର ପ୍ରଧାନ, ବସନ୍ତ କୁମାର ଦାସ, ନବକିଶୋର ପ୍ରଧାନ, ପ୍ରଦୀପ କୁମାର ମାଝୀ, କାଳୀଚରଣ ପ୍ରଧାନ, ନିରୁପମା ପ୍ରଧାନ ପ୍ରମୁଖ ଯୋଗଦେଇ ଟାଟା ପାୱାର ପକ୍ଷରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟକୁ ତୀବ୍ର ନିନ୍ଦା କରିଥିଲେ। ଅତିରିକ୍ତ ସୁରକ୍ଷା ଜମା ଆଦାୟ ତୁରନ୍ତ ବନ୍ଦ କରିବା ସହିତ ସ୍ମାର୍ଟ ମିଟର ବସାଇବା ବନ୍ଦ ଦାବିରେ ୨୪ ଡିସେମ୍ବରରେ ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ନେଇ ଟାଟା ପାୱାର ଅଫିସ୍ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି।