ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଜ୍ରକୋଟ ରେଞ୍ଜ ଅନ୍ତର୍ଗତ ପ୍ରାୟ ୪୦ଟି ଗାଁର କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ, ସିଜିନାଲ କର୍ମଚାରୀ, ମୁନିଶୀ ଏବଂ ଚେକରମାନେ ସେମାନଙ୍କର ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ବଜ୍ରକୋଟ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଶ୍ରମିକ ଓ କର୍ମଚାରୀ ଏକତ୍ରିତ ହୋଇ ଏକ ବିଶାଳ ଗଣଧାରଣା ଦେଇଛନ୍ତି। ସରକାରଙ୍କ ଶ୍ରମିକ ମାରଣନୀତି ଏବଂ ବାରମ୍ବାର ଅଭିଯୋଗ ସତ୍ତ୍ୱେ କର୍ତ୍ତୃପକ୍ଷଙ୍କ ଟାଳଟୁଳ ନୀତି ଯୋଗୁଁ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଏହି ଅବସରରେ ରେଞ୍ଜର ଦାୟିତ୍ୱରେ ଥିବା ଅନୁପମା ପ୍ରଧାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ସତର ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘ ପକ୍ଷରୁ କେରି ପିଛା ଦୁଇ ଟଙ୍କା ମୂଲ୍ୟ ବୃଦ୍ଧି କରିବା, ମୃତ୍ୟୁକାଳୀନ ସହାୟତା ରାଶିକୁ ଚାରି ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ବିଭିନ୍ନ ଗ୍ରାମରେ ଥିବା ଫଡି ଘର ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରିବା ଏବଂ କର୍ମଚାରୀଙ୍କ ପାଇଁ ଛୁଟି ବ୍ୟବସ୍ଥା ଲାଗୁ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ଦାବିଗୁଡ଼ିକ ଉପସ୍ଥାପନ କରାଯାଇଛି।
ଯଦି ସରକାର ଏହି ଦାବିଗୁଡ଼ିକୁ ତୁରନ୍ତ ପୂରଣ ନକରନ୍ତି, ତେବେ ଆସନ୍ତା ୨୭ ଫେବ୍ରୁଆରୀରେ ସଂଘ ରାଜରାସ୍ତା ଅବରୋଧ କରିବ ବୋଲି ଦୃଢ଼ ଚେତାବନୀ ଦେଇଛି। ଆଜିର ଏହି ଗଣଧାରଣାରେ ସଂଘର ସେକ୍ରେଟେରୀ ସତ୍ୟାନନ୍ଦ ସାହୁ, ଧ୍ରୁବ ଚରଣ ପ୍ରଧାନ, ଅକ୍ଷୟ ଗଡ଼ନାୟକ, ମଦନ ମୋହନ ପ୍ରଧାନ ଓ ଅଜୟ ପ୍ରଧାନଙ୍କ ସମେତ ବହୁ ସଂଖ୍ୟାରେ ତୋଳାଳୀ ଓ କର୍ମଚାରୀ ସାମିଲ ହୋଇଥିଲେ।