ମୁଖ୍ୟ ଖବର

କ୍ୟାଡେଟ ଏସଆଇଙ୍କ ୬୦ତମ ଦୀକ୍ଷାନ୍ତ ସମାରୋହ

By Biswaranjan Pattnaik

December 09, 2022

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ପିଟିସି ପଡ଼ିଆରେ କ୍ୟାଡେଟ ସବଇନିସ୍ପେକ୍ଟର ମାନଙ୍କ ୬୦ତମ ଦୀକ୍ଷାନ୍ତ ସମାରୋହ ଆୟୋଜିତ ହୋଇଯାଇଛି। ଏହି ସମାରୋହରେ ରାଜ୍ୟ ପୋଲିସ ମହାନିର୍ଦେଶକ ସୁନୀଲ କୁମାର ବଂଶଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରେଡ଼ ନିରୀକ୍ଷଣ କରିବା ସହ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ।

ତାଲିମ ପରେ ସବଇନିସପେକ୍ଟର ମାନେ ନିଷ୍ଠା ଓ ସାଧୁତାର ସହ କାର୍ଯ୍ୟ କରି ସମାଜର ଅସହାୟ ଅବହେଳିତ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ସମାଜରେ ପୋଲିସର ଭୂମିକା ଅତୀବ ପ୍ରସଂଶନୀୟ। ତେଣୁ ଏହାକୁ କେବଳ ଏକ ବୃତ୍ତି ନଭାବି ସମାଜର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ କାର୍ଯ୍ୟ କରି ଲୋକଙ୍କ ଆସ୍ଥା ଭାଜନ ହେବା ଉଚିତ ବୋଲି ଶ୍ରୀ ବଂଶଲ ପ୍ରକାଶ କରିଥିଲେ।

ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ମୁଖ୍ୟ ଅରୁଣ ଷଡଙ୍ଗୀ ଯୋଗ ଦେଇ ବନ୍ୟା, ବାତ୍ୟା ଓ ମହାମାରୀ ସମୟରେ ପୋଲିସର ଗୁରୁ ଭୂମିକା ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପିଟିସି ଅଧ୍ୟକ୍ଷ ତଥା ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଜୟ ନାରାୟଣ ପଙ୍କଜ, ଅନୁଗୁଳ ଏସପି ଜଗମୋହନ ମୀନାଙ୍କ ସମେତ ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜର ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ।

୧୨୬ ଜଣ କ୍ୟାଡଟ ସବଇନିସପେକ୍ଟର ଦୀକ୍ଷାନ୍ତ ସମାରୋହରେ ଅଂଶ ଗ୍ରହଣ କରିଥିଲେ। ସ୍ୱାଗତ କୁମାର ଦାସଙ୍କୁ ୬୦ତମ ବ୍ୟାଚର ଶ୍ରେଷ୍ଠ କ୍ୟାଡେଟ ଭାବେ ରାଜ୍ୟପାଳ ଟ୍ରଫି ହାସଲ କରିଥିଲେ। ସେହିଭଳି ପ୍ରବୀଣ ଗିରି, ପ୍ରଶାନ୍ତ ମହାରଣା ଓ ବର୍ଷା ଦାସଙ୍କୁ ବିଭିନ୍ନ ଏକାଡେମୀକ ରେକର୍ଡ ପାଇଁ ମୁଖ୍ୟ ଅତିଥି ଶ୍ରୀ ବଂଶଲ ପୁରସ୍କୃତ କରିଥିଲେ।