ଅନୁଗୁଳ: ଠିକାଦାରଙ୍କ କବ୍ଜାରେ ଜନ ସ୍ଵାସ୍ଥ୍ୟ ବିଭାଗର କ୍ୱାର୍ଟର୍ସ। ୨ ବର୍ଷ ହେଲାଣି ସରକାରୀ ଘର ଖାଲି କରୁନାହାନ୍ତି ଠିକା କର୍ମଚାରୀ। ଅନୁଗୁଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ଅନୁଗୁଳ ସହରର ଜନ ସ୍ଵାସ୍ଥ୍ୟ ବିଭାଗ(ପିଏଚଡି)ର କ୍ୱାର୍ଟର୍ସକୁ ବର୍ଷ ବର୍ଷ ଧରି ମାଡ଼ି ବସିଛନ୍ତି ଠିକାଦାର। ପିଏଚଡି ବିଭାଗର ଠିକାଦାରୀ ଆଳ ଦେଖାଇ ପ୍ରାୟ ୨ବର୍ଷ ଧରି ଜଣେ ଠିକାଦାର ଏହି କ୍ୱାର୍ଟର୍ସରେ ରହୁଛନ୍ତି। ସମସ୍ତଙ୍କ ଜାଣତରେ ଏହି ଜବରଦଖଲ ହେଉଥିଲେ ବି ଅଧିକାରୀ ଚୁପ। ଏଥିସହ ଜାଣିଶୁଣି ଘଟଣାକୁ ଚାପିବାକୁ ବସିଥିବା ଜଣାପଡ଼ିଛି।
ସୂଚନା ମୁତାବକ, ମାଟିଆସାହି ନିକଟ ତାରିଣୀ ମନ୍ଦିର ପାଖରେ ରହିଛି ପିଏଚଡି ବିଭାଗର କ୍ୱାର୍ଟର୍ସ। ଏହି କ୍ୱାର୍ଟର୍ସ ଫାଟକରେ ୨୪ ଘଣ୍ଟିଆ ତାଲା ଝୁଲୁଥିବା ଦେଖାଯାଇଛି। ଜଣେ ଠିକାଦାର ଅବୈଧ ଭାବେ ବର୍ଷବର୍ଷ ଧରି ସରକାରୀ କ୍ୱାର୍ଟର୍ସକୁ ଜବରଦଖଲ କରି ରଖିଥିବା ସୂଚନା ମିଳିଛି।ସେ ସପରିବାର ରହୁଥିବା ବେଳେ ଘଟଣାକୁ ଲୁଚାଇବା ପାଇଁ ତାଲା ପକାଉଛନ୍ତି। ପୂର୍ବରୁ ଏନେଇ ଅନେକ ଥର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମଧ୍ୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଅନୁଗୁଳ ସହର ଉପରେ ଦୀର୍ଘ ଦୁଇବର୍ଷ ଧରି ଜନସ୍ୱାସ୍ଥ୍ୟ ବିଭାଗର ସରକାରୀ କ୍ୱାର୍ଟର୍ସ ଉପରେ କାହା ସାହସରେ ଉକ୍ତ ଠିକାଦାର ରହୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏନେଇ ଜନସ୍ୱାସ୍ଥ୍ୟ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ରାଜକିଶୋର ଭୂମିଜଙ୍କୁ ପଚାରିବାରୁ ସେ କହିଛନ୍ତି, ଅଭିଯୋଗ ସାମ୍ନାକୁ ଆସିଛି। ଆମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବୁ ବୋଲି ସେ କହିଛନ୍ତି।