ଅନୁଗୁଳ: ନାଲକୋ ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି ବେନ୍ତପୁର ଗାଁ ମୁଣ୍ଡ ପଡ଼ିଆରେ ପରିବେଶ ମଞ୍ଜୁରୀ ପାଇଁ ଗୁରୁତ୍ୱପୂର୍ଣ୍ଣ ଜନଶୁଣାଣି ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ, ଏହାକୁ ବିରୋଧ କରିବା ପାଇଁ ଗ୍ରାମବାସୀ ସଜବାଜ ହେଉଛନ୍ତି। ଅନ୍ୟପଟେ କମ୍ପାନୀ କର୍ତ୍ତୃପକ୍ଷ ନିଜ ସପକ୍ଷରେ ଜନମତ ସଂଗ୍ରହ କରିବାକୁ ଜୋରଦାର ପ୍ରୟାସ ଚଳାଇଥିବାରୁ ଏକ ପ୍ରକାର ଟଣାଓଟରା ପରିସ୍ଥିତି ସୃଷ୍ଟି ହୋଇଛି।
ନାଲକୋ କମ୍ପାନୀ ନିଜର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ କାଙ୍ଗୁଲା, ବେନ୍ତପୁର, ଗୋପୀନାଥପୁର ଏବଂ କୁଲାଡ଼ ମୌଜାରେ କାରଖାନା ସମ୍ପ୍ରସାରଣ କରିବାକୁ ଯୋଜନା ରଖିଛି। ମାତ୍ର ଏହି ପ୍ରକ୍ରିୟାରେ ଜମି ହରାଉଥିବା ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଯେପର୍ଯ୍ୟନ୍ତ ସମସ୍ତ ଜମିହରାଙ୍କୁ ‘ସ୍ଥାୟୀ ନିଯୁକ୍ତି’ ନେଇ ଲିଖିତ ପ୍ରତିଶ୍ରୁତି ନମିଳିଛି, ସେପର୍ଯ୍ୟନ୍ତ ସେମାନେ ଜମି ଛାଡ଼ିବେ ନାହିଁ ବୋଲି ଶପଥ ନେଇଛନ୍ତି। ଜନଶୁଣାଣି ସମୟରେ ଉଭୟ ପ୍ରଶାସନ ଏବଂ ନାଲକୋ ଅଧିକାରୀଙ୍କୁ ଘେରିବା ପାଇଁ ଶତାଧିକ ବେକାର ଯୁବକଯୁବତୀ ଓ ଗ୍ରାମବାସୀ ମେଳି ବାନ୍ଧିଛନ୍ତି।ଅଭିଯୋଗ ହେଉଛି ଯେ, ନାଲକୋ କିଛି ସ୍ଥାନୀୟ ଲୋକଙ୍କୁ ନିଜ ସପକ୍ଷରେ ବ୍ୟବହାର କରି ଜନଶୁଣାଣିକୁ ସଫଳ କରିବାକୁ ଚେଷ୍ଟା କରୁଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, କମ୍ପାନୀର କିଛି ଦଲାଲ ସପକ୍ଷବାଦୀ ଯୋଗାଡ଼ କରିବାରେ ବ୍ୟସ୍ତ ଅଛନ୍ତି। ଏଭଳି ସ୍ଥିତିରେ ଜନଶୁଣାଣି ସମୟରେ ସପକ୍ଷ ଓ ବିପକ୍ଷ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିବା ସମ୍ଭାବନା ରହିଛି।
ଆଜି ଦିନ ୧୦ଟା ସମୟରେ ଆୟୋଜିତ ହେବାକୁ ଥିବା ଏହି ଜନଶୁଣାଣିର ନିଷ୍ପତ୍ତି ଉପରେ କମ୍ପାନୀର ଅଗ୍ରଗତି ନିର୍ଭର କରୁଛି। ତିନି ମୌଜାର ଶତାଧିକ ବେକାର ଯୁବକଯୁବତୀ ନିଜର ଭବିଷ୍ୟତକୁ ନେଇ ଚିନ୍ତିତ ଥିବା ବେଳେ, ପ୍ରଶାସନ କିଭଳି ଭାବେ ଏହି ସମ୍ବେଦନଶୀଳ ସ୍ଥିତିକୁ ସମ୍ଭାଳୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।