ମୁଖ୍ୟ ଖବର

ଅନୁଗୋଳରେ ହିଡ଼ିିସିଂ ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ଜନଶୁଣାଣି: ଆଶା ଆଶ୍ୱାସନାରେ ଚାଷୀ

By Angul TV Bureau

July 09, 2026

ଅନୁଗୋଳ: ସ୍ଥାନୀୟ ବନ୍ତଳା ଅଞ୍ଚଳର କରଡ଼ାସିଂ ଠାରେ ପ୍ରସ୍ତାବିତ ‘ ‘ହିଡ଼ିିସିଂ ମଧ୍ୟମ ଜଳସେଚନ ପ୍ରକଳ୍ପ’ ପାଇଁ ବୁଧବାର ପରିବେଶ ସମ୍ବନ୍ଧୀୟ ଜନଶୁଣାଣି ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ରମେଶ ଚନ୍ଦ୍ର ଏକାଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଏଥିରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ଚାଷୀଙ୍କ ସହ ଆଲୋଚନା କରିଥିଲେ।

ହିଡିସିଂ ପ୍ରୋଜେକ୍ଟ କୃଷକ ମହାସଂଘ ସମେତ ବିଭିନ୍ନ ପଞ୍ଚାୟତର ଶତାଧିକ ଚାଷୀ ଏଥିରେ ଅଂଶଗ୍ରହଣ କରି ପ୍ରକଳ୍ପକୁ ସମର୍ଥନ ଜଣାଇଛନ୍ତି। ଜଳସେଚନ ହେଲେ ମରୁଡ଼ି ସମସ୍ୟା ଦୂର ହେବା ସହ ଦୁଇଫସଲି ଜମି, ଜଳସ୍ତର ବୃଦ୍ଧି, ପରିବେଶ ସନ୍ତୁଳନ ଓ ବନ୍ୟପ୍ରାଣୀ ସୁରକ୍ଷା ସମ୍ଭବ ହେବ ବୋଲି ସେମାନେ ମତ ଦେଇଛନ୍ତି। ତେବେ ବିସ୍ଥାପିତ ହେବାକୁ ଥିବା ପରିବାର ପାଇଁ ଉପଯୁକ୍ତ କ୍ଷତିପୂରଣ, ଜମିର ମୂଲ୍ୟ ବୃଦ୍ଧି ଏବଂ ସରକାରୀ ନିୟମ ଅନୁଯାୟୀ ଥଇଥାନ ପାଇଁ ଚାଷୀମାନେ ଦାବି କରିଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା। ଜନଶୁଣାଣି ସଫଳ ହୋଇଥିବାରୁ ପ୍ରକଳ୍ପ କାର୍ଯ୍ୟ ଖୁବ୍‌ଶୀଘ୍ର ଆଗେଇବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।