ମୁଖ୍ୟ ଖବର

ପୂର୍ବ ଓ ପଶ୍ଚିମ ଓଡ଼ିଶାକୁ ଯୋଡ଼ିଲା ପୁରୀ-କୋରାପୁଟ ଏକ୍ସପ୍ରେସ: ଅନୁଗୋଳ ଓ ତାଳଚେର ଷ୍ଟେସନରେ ଭବ୍ୟ ସ୍ୱାଗତ

By Angul TV Bureau

July 07, 2026

ଅନୁଗୋଳ: ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ପୁରୀ-କୋରାପୁଟ ମଧ୍ୟରେ ନୂତନ ଦ୍ରୁତଗାମୀ ରେଳ ସେବାର ଶୁଭାରମ୍ଭ ହୋଇଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଷ୍ଟେସନରୁ ଏହି ଟ୍ରେନକୁ ଶୁଭାରମ୍ଭ କରିଥିବା ବେଳେ, ଅନୁଗୋଳ ଓ ତାଳଚେର ରୋଡ୍ ଷ୍ଟେସନରେ ସ୍ଥାନୀୟ ଜନପ୍ରତିନିଧିମାନେ ସବୁଜ ପତାକା ଦେଖାଇ ଟ୍ରେନକୁ ସ୍ୱାଗତ କରିଛନ୍ତି।

ଅନୁଗୋଳ ଓ ତାଳଚେର ରୋଡ୍ ଷ୍ଟେସନରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ପ୍ରଧାନ କହିଛନ୍ତି, “ଏହି ଟ୍ରେନ୍ ପୂର୍ବ ଓ ପଶ୍ଚିମ ଓଡ଼ିଶାକୁ ସିଧାସଳଖ ସଂଯୋଗ କରିବା ସହ ବାଣିଜ୍ୟ, କଳା ଓ ସଂସ୍କୃତିର ବିକାଶରେ ନୂଆ ଦିଗନ୍ତ ସୃଷ୍ଟି କରିବ। ଏହା ସହ ଶ୍ରୀଜଗନ୍ନାଥ ସଂସ୍କୃତି ସହ ପଶ୍ଚିମ ଓଡ଼ିଶାର ଭକ୍ତଙ୍କୁ ଯୋଡ଼ିବାରେ ଏହା ସହାୟକ ହେବ।”

ଏହି ନୂତନ ରେଳ ସେବା ଦ୍ୱାରା ଅନୁଗୋଳବାସୀଙ୍କ ଗମନାଗମନ ସୁବିଧାଜନକ ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ପ୍ରକାଶ ପାଇଛି।