ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନର ସହଯୋଗରେ ପ୍ରଥମ ଥର ପାଇଁ ଆଜି ଚାରିଟି ଉପଖଣ୍ଡରେ ଆୟୋଜିତ ହୋଇଛି ରାହାଗିରି ବା ପଥୋତ୍ସବ। ଏ ଅବସରରେ ଶୀତ ସକାଳର ଥଣ୍ଡା ପବନକୁ ଖାତିର ନ କରି ଯୁବଗୋଷ୍ଠୀ ଓ ଛାତ୍ରଛାତ୍ରୀ ରାସ୍ତା ଉପରେ ଖୁବ ଝୁମିଥିଲେ। କିଛି ଘଣ୍ଟା ପାଇଁ ରାସ୍ତାକୁ ନିଜ ଅକ୍ତିଆରକୁ ନେଇ ଯାଇଥିଲେ ସେମାନେ।ମନ ଭରି ନାଚିଥିଲେ, ଗାଇଥିଲେ ଆଉ କରିଥିଲେ ମନ ପସନ୍ଦର ଆକ୍ଟିଭିଟି। ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଅନୁଗୁଳ ବଡଦାଣ୍ଡରେ। ଅନୁଗୁଳ ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ବିଏଡ଼ କଲେଜ ଛକ ଯାଏ ଏହି ପଥ ଉତ୍ସବ ପାଳିତ ହୋଇଥିଲା।
ଆଗକୁ ବିଶ୍ୱକପ ହକି ଥିବାରୁ ସେଥିପାଇଁ ସ୍ୱତନ୍ତ୍ର ଷ୍ଟଲ ପଡ଼ିଥିଲା। ପଥ ଉତ୍ସବରେ ବହି ଷ୍ଟଲ, ରିମିଟ ଓ ସରସ୍ୱତୀ ଶିଶୁ ମନ୍ଦିର ପିଲାଙ୍କ ଦ୍ୱାରା ରଙ୍ଗୋଲି, ମେହେନ୍ଦୀ, ପେଣ୍ଟିଙ୍ଗ, ଅଙ୍ଗରବନ୍ଧ ଅଲେଖ ମହିମା ଭଜନ, ନାମ ସଂକୀର୍ତ୍ତନ, ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଭୋଟର ସଚେତନତା ସେଲ୍ଫି ପଏଣ୍ଟ, କୁଇଜ ପ୍ରତିଯୋଗିତା, ଥାର୍ଡ ଆଇ ଆକ୍ଟିଭେସନ ସେଣ୍ଟର ପକ୍ଷରୁ ଏକାଗ୍ରତା ବୃଦ୍ଧି ତାଲିମ ଆଦି କାର୍ଯ୍ୟକ୍ରମ ଦର୍ଶକଙ୍କୁ ମୁଗ୍ଧ କରିଥିଲା।
ସେହିଭଳି ପୋଲିସ ବ୍ୟାଣ୍ଡର ସୁମଧୁର ଧୁନ, ଷ୍ଟାର ଡାନ୍ସ ଏକାଡେମୀ, ଆଦର୍ଶ ଗ୍ରୁପ, ଟାଇକୋଣ୍ଡା ସଂଘ କଳିଙ୍ଗ କଳା ନିକେତନ, ଆଦ୍ରୁତ ଗ୍ରୁପ, ଅଲଟିମେଟ ଫିଟନେସ ଜିମ ଓ ଅନ୍ୟ ବହୁ ନୃତ୍ୟାନୁଷ୍ଠାନ ପକ୍ଷରୁ ନୃତ୍ୟ ଗୀତର ଆସର ସହରବାସୀଙ୍କୁ ଆକୃଷ୍ଟ କରିଥିଲା।
ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ଉତ୍ସବକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ଜଗମୋହନ ମୀନା, ନଗରପାଳ ଅକ୍ଷୟ କୁମାର ସାମନ୍ତ, ଉପାଧ୍ୟକ୍ଷା ଅନୁପମା ସାହୁ, ସମ୍ବଲପୁର ସାଂସଦ ପ୍ରତିନିଧି ଅଗସ୍ତି ବେହେରା, ଉପ ଜିଲ୍ଲାପାଳ ବୈତୁରା ଦୀପଙ୍କ ସମେତ ଅନୁଗୁଳ ଓ ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷା ଯୋଗ ଦେଇଥିଲେ।