ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୋଲିସ ଗୁରୁବାର ଗୋହିରପଶି ଗାଁରେ ଏକ ବେଆଇନ କୋଇଲା ଖାତ ଉପରେ ଚଢାଉ କରିଛି। ସୂଚନା ଯେ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଛେଣ୍ଡିପଦା ଆଇଆଇସି ଧିରେନ୍ କୁମାର ବେହେରାଙ୍କ ନେତୃତ୍ବରେ ଏକ ପୋଲିସ ଦଳ ବେଆଇନ କୋଇଲା ଖାତ ଉପରେ ଚଢ଼ାଉ କରିଥିଲେ। ଚଢାଉ ବେଳେ ପୋଲିସକୁ ଦେଖି କୋଇଲା ଖାତ ମାଲିକ ଅର୍ଜୁନ ସେନାପତି ଫେରାର ହୋଇଯାଉଥିବା ବେଳେ ପୋଲିସ ତାକୁ କାବୁ କରିଥିଲା।
ପରେ କୋଇଲା ଖାତରେ ଶ୍ରମିକ ଭାବେ କାମ କରୁଥିବା ଲଙ୍ଗୁଳି ଗ୍ରାମର ଗଣେଶ୍ୱର ବେହେରା, ଗୋହିରପଶୀ ଗ୍ରାମର କଳାକର ସେନାପତିଙ୍କୁ ଗିରଫ କରିଥିଲା। କୋଇଲା ଖାତରେ ବ୍ୟବହାର ହେଉଥିବା ଏକ ପାଣି ପମ୍ପ, ପୁଲି, ଶାବଳ, କୋଦାଳକୁ ଜବତ କରିବାସହ ସେଠାରେ ଗଦା ଯୋଇଥିବା ଟନ୍ଟନ୍ କୋଇଲାକୁ ଖାତରେ ପକାଇ ଘୋଡ଼ାଇ ଦିଆଯାଇଥିଲା। ବାହାଳସାହି ଅଞ୍ଚଳରେ କୋଇଲା ମାଫିଆ ମାନେ ସକ୍ରିୟ ଅଛନ୍ତି। ଗତ ବର୍ଷ ବାହାଳସାହିରେ ୧୦ଟି ବେଆଇନ କୋଇଲା ଖାତକୁ ବନ୍ଦ କରିଥିଲା ପୋଲିସ। ପୁଣି ଏବେ ସେଠାରେ ଚାଲିଛି ବେଆଇନ କୋଇଲା ଖାତ। ଏଥିରୁ ହଜାର ହଜାର ଟନ୍ କୋଇଲା ଖୋଳି ଛେଣ୍ଡିପଦା ଅଞ୍ଚଳ ସହିତ ଦେଓଗଡ ଜିଲ୍ଳାର ବିଭିନ୍ନ ଅଞ୍ଚଳରେ ହେଉଥିବା ଇଟାଭାଟିକୁ ଚୋରା କୋଇଲା ଚାଲାଣ ହେଉଛି।