ଅନୁଗୁଳ: ଅନୁଗୁଳରେ ବେଆଇନ ଚିଡ଼ିଆଖାନା। ମୟୂର, ଚଉଶିଙ୍ଗା ଭଳି ଜଙ୍ଗଲୀ ଜନ୍ତୁଙ୍କୁ ରଖାଯାଇଥିଲା ବନ୍ଦୀ। ଖବର ପାଇ ବନ ବିଭାଗ ପହଞ୍ଚି ଏସବୁ ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିଛନ୍ତି।ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡ଼ା ମା’ ବାୟାଣୀ ପୀଠ ଠାରେ ଥିବା ଜଗନ୍ନାଥ ମନ୍ଦିର ପରିସରରେ ବେଆଇନ ଚିଡ଼ିଆଖାନା ବନ୍ଦ କରିବା ପାଇଁ ରାଜ୍ୟର ଚିଫ ୱାଇଲଡ ଲାଇଫ ୱାର୍ଡେନଙ୍କ ସହିତ ସେଣ୍ଟରାଲ ଜୁ ଅଥରିଟି ଏବଂ ୱାଇଲଡ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋକୁ ଇମେଲ କରିଥିଲେ ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ। ଖବର ପାଇ ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ଶୁଭ୍ରାଶୁଚିସ୍ମିତା ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ବାୟାଣୀ ପୀଠରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ବନ ବିଭାଗ ଗୋଟିଏ ଘର ଭିତରୁ ୪ଟି ମୟୂର ଓ ଗୋଟିଏ ଚଉଶିଙ୍ଗାଙ୍କୁ ଉଦ୍ଧାର କରିଛି। ପରେ ବନବିଭାଗ ଶିମିଳିପାଳ ପଞ୍ଚାୟତ ମା’ ପୁରିହାପାଟଙ୍କ ପୀଠ ନିକଟରେ ଚଢ଼ାଉ କରିଥିଲେ। ତେବେ ସେଠାରେ ଏକ ମୟୂର ଥିବା ବେଳେ ବନ ବିଭାଗ ଆସୁଥିବା ଖବର ପାଇ ମୟୂରକୁ ଛାଡ଼ି ଦିଆଯାଇଥିବା ଭିତିରି ସୂଚନା ମିଳିଛି।ଉଦ୍ଧାର ମୟୂର ଓ ଚଉଶିଙ୍ଗାକୁ ବନବିଭାଗ ଛେଣ୍ଡିପଦା ପ୍ରଣିଧାନ ଚିକିତ୍ସାଳୟକୁ ନେଇ ପ୍ରାଥମିକ ଚିକିତ୍ସା କରାଇବା ପରେ ଢେଙ୍କାନାଳ କପିଳାସ ସ୍ଥିତ ଚିଡିଆଖାନାକୁ କ୍ଵାରେଣ୍ଟାଇନ ପାଇଁ ପଠାଯାଇଥିବା ଛେଣ୍ଡିପଦା ରେଞ୍ଜର ଶୁଭ୍ରାଶୁଚିସ୍ମିତା ମହାପାତ୍ର ସୂଚନା ଦେଇଛନ୍ତି।