ମୁଖ୍ୟ ଖବର

ସହରର ବିଭିନ୍ନ ଖାଦ୍ୟ ଦୋକାନରେ ଚଢ଼ଉ, ସିଲ୍ କରିବା ସହ ମୋଟାଅଙ୍କର ଜରିମାନା ଆଦାୟ କଲା ଟିମ୍

By Angul TV Bureau

September 19, 2022

ଅନୁଗୁଳ: ଅନୁଗୁଳ ବହୁମୁଖୀ ଶୃଙ୍ଖଳାଗତ ଟିମ୍‌ ପକ୍ଷରୁ ଆଜି ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ବାସି ଖାଦ୍ୟ ବିକୁଥିବା ଓ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ଦେଉଥିବା କାରଣରୁ ୩ଟି ଦୋକାନ ସିଲ୍‌ ହୋଇଥିଲା ବେଳେ ୫ଟି ଦୋକାନରୁ ୩୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ଚଢ଼ା ଦରରେ ମଦ ବିକୁଥିବାରୁ ଗୋଟିଏ ମଦ ଦୋକାନକୁ ସିଲ୍‌ କରାଯାଇଛି।

ଅନୁଗୁଳ ତହସିଲଦାର ବିମଳ ଲେଙ୍କାଙ୍କ ନେତୃତ୍ବରେ ଆଜି ଏହି ଟିମ୍‌ ବସଷ୍ଟାଣ୍ଡ ଅଞ୍ଚଳରେ ଚଢ଼ଉ କରିଥିଲା। ଅନୁଗୁଳ ବସଷ୍ଟାଣ୍ଡରେ ଥିବା ମଦ‌ ଦୋକାନ ଧାର୍ଯ୍ୟ ଦରଠାରୁ ଅଧିକ ଦରରେ ମଦ ବିକୁଥିବା ବେଳେ କର୍ମଚାରୀଙ୍କର ପରିଚୟପତ୍ର ନ ଥିଲା। ସେହିପରି ମଦର ଦର ତାଲିକା ଦୋକାନ ଆଗରେ ଲଗାଯାଇନାହିଁ। ତେଣୁ ‌ଏହି ଦୋକାନକୁ ସିଲ୍‌ କରି ଦିଆଯାଇଛି।

ଅପରପକ୍ଷରେ ବସ୍‌ଷ୍ଟାଣ୍ଡରେ ଥିବା ୩ ଟି ହୋଟେଲ୍‌ରେ ବାସି ଖାଦ୍ୟ ଦିଆଯାଉଥିବା ଯାଞ୍ଚ ସମୟରେ ଜଣାପଡ଼ିଥିଲା। ଏହି ହୋଟେଲଗୁଡ଼ିକରେ ସ୍ବାସ୍ଥ୍ୟକର ପରିବେଶ ନ ଥିଲା ଓ ବିଭିନ୍ନ ରାସାୟନିକ ରଙ୍ଗ ଖାଦ୍ୟରେ ମିଶା ଯାଉଥିଲା। ତେଣୁ ଏହାକୁ ସିଲ୍‌ କରାଯାଇଛି।

ସେହିପରି ଅସ୍ବାସ୍ଥ୍ୟକର ଖାଦ୍ୟ ବିକୁଥିବା ୫ଟି ହୋଟେଲ୍‌ ଉପରୁ ୩୩ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ବସଷ୍ଟାଣ୍ଡରେ ଥିବା ଫଳ ଦୋକାନୀ ରଖିଥିବା ଓଜନ ମାପ ମେସିନର କାଗଜପତ୍ର ନ ଥିବାରୁ ୫ ଜଣଙ୍କଠାରୁ ୬ ହଜାର ଟଙ୍କା ଆଦାୟ କରାଯାଇଛି। ଏହି ଟିମ୍‌ରେ ରାଜସ୍ବ, ପୋଲିସ, ଅବକାରୀ, ଖାଦ୍ୟ ସୁରକ୍ଷା ଆଦି ବିଭାଗର ଅଧିକାରୀ ସାମିଲ ହୋଇଥିଲେ।