ଅନୁଗୁଳ: ଅନୁଗୁଳର ଶେଷ ସ୍ୱାଧୀନ ରାଜା ସୋମନାଥ ସିଂହଙ୍କ ପୁରୁଣା ବସ ଷ୍ଟାଣ୍ଡରେ ଥିବା ପ୍ରତିମୂର୍ତ୍ତୀରେ ଲାଗିଥିବା ଖଣ୍ଡା ଟି ଭାଙ୍ଗି ଯାଇଥିଲା। ଗତ ଦୁଇସପ୍ତାହ ଧରି ପ୍ରତିମୂର୍ତ୍ତି ଟି ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା ବେଳେ ସହର ବୁଦ୍ଧିଜୀବି,ସାହି ମୂରବୀ ଏବଂ ଗଣମାଧ୍ୟମ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା।ଅନୁଗୁଳ ପୌର ପାଳିକା ଏହି ସ୍ମୃତି ମଣ୍ଡପର ଦେଖା ଶୁଣା କରିବା ପାଇଁ ଚୁକ୍ତି ବଦ୍ଧ ହୋଇଥିବା ବେଳେ ତାକୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା। ତେବେ ଏ ଘଟଣା ପରେ ଅନୁଗୁଳ ନଗରପାଳ ଅକ୍ଷୟ କୁମାର ସାମନ୍ତ ତତ୍ପରତା ପ୍ରକାଶ କରିବା ସହ ରାଜାଙ୍କ ପ୍ରତିମୂର୍ତ୍ତିର ହାତକୁ ଏକ ନୂଆ ଖଣ୍ଡା ଦେଇଥିଲେ। ଯାହା ଦୁଇ ସପ୍ତାହ ଧରି ହୋଇ ପାରି ନ ଥିଲା ଅନୁଗୁଳ ବାସୀଙ୍କ ପ୍ରତିକ୍ରିୟା ପରେ ୨୪ ଘଣ୍ଟା ମଧ୍ୟରେ ତାହା ସଂପୂର୍ଣ୍ଣ ହୋଇ ପାରିଲା।