ମୁଖ୍ୟ ଖବର

ରାମନବମୀରୁ ପୁଣି ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି, ରେଳ ମନ୍ତ୍ରୀ କଲେ ଘୋଷଣା

By Angul TV Bureau

April 03, 2022

ଅନୁଗୁଳ: ରାମନବମୀରୁ ପୁଣି ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି। ଏ ନେଇ ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ। ଏହି ଟ୍ରେନ ଚଳାଚଳ କଲେ ପୁରୀ, ଭୁବନେଶ୍ୱର ଓ କଟକର ଲୋକ ସହଜରେ ଅନୁଗୁଳ, ତାଳଚେର ଓ ସମ୍ବଲପୁର ଯାତାୟାତ କରିପାରିବେ। ଶନିବାର ସମ୍ବଲପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଓଡ଼ିଶାର ବିଧାୟକମାନେ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଟ୍ରେନ ଚଳାଚଳ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

କରୋନା ସଂକ୍ରମଣ ଯୋଗୁ ଦେଶର ସମସ୍ତ ଯାତ୍ରୀବାହୀ ଟ୍ରେନ ବନ୍ଦ ରହିଥିଲା। ଏବେ ସଂକ୍ରମଣ କମିବା ପରେ ଆଂଶିକ ଭାବେ କେତେକ ଟ୍ରେନ ଗଡୁଛି। ପଶ୍ଚିମାଞ୍ଚଳର ଲୋକେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଭୁବନେଶ୍ବର ଓ ବିଶାଖାପାଟଣା ଉପରେ ଅଧିକ ନିର୍ଭର କରୁଥିବାରୁ ସମ୍ବଲପୁରରୁ ବିଶାଖାପାଟଣାକୁ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ୍ ଚଳାଚଳ କରିବା ପାଇଁ ଏ ଅବସରରେ ଦାବି କରାଯାଇଛି। ଏବେ ବିଶାଖାପାଟଣା ଅମୃତସର ଏକ୍ସପ୍ରେସ ସପ୍ତାହକୁ ତିନି ଦିନ ଚାଲୁଛି। ଏହି ଟ୍ରେନ୍‌କୁ ପ୍ରତିଦିନ ଚଲାଇବା ପାଇଁ ମଧ୍ୟ ଦାବି ହୋଇଛି। ବିଧାୟକଙ୍କ ସମସ୍ତ ଦାବିକୁ ଗୁରୁତ୍ୱର ସହ ନେଇ ବିଚାର କରିବାକୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତିଶ୍ରୁତି ଦେଇଥିବା ନେଇ ସମ୍ବଲପୁର ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି।