ଅନ୍ୟାନ୍ୟ

ଘରକୁ ଫେରିଲେ ରାମ ସେବକ ବିଦେଶୀ ଦେହୁରୀ, ଅଯୋଧ୍ୟା ରାମ ମନ୍ଦିରରେ ବିଭିନ୍ନ ସେବା କାର୍ଯ୍ୟରେ ଥିଲେ ନିୟୋଜିତ

By Angul TV Bureau

March 16, 2024

ତାଳଚେର: ଅଯୋଧ୍ୟାସ୍ଥିତ ରାମ ମନ୍ଦିରରେ ବିଭିନ୍ନ ସେବା କାର୍ଯ୍ୟ କରି ଘରକୁ ଫେରିଛନ୍ତି ରାମ ସେବକ ବିଦେଶୀ ଦେହୁରୀ। ତାଳଚେର ବ୍ଲକ ବଡ଼ଯୋରଡ଼ା ଗ୍ରାମ ନିବାସୀ ବିଦେଶୀ ଦେହୁରୀ ଗତ ଫେବ୍ରୁଆରୀ ୨୫ ତାରିଖରେ ଟ୍ରେନ ଯୋଗେ ଅଯୋଧ୍ୟା ସ୍ଥିତ ରାମ ମନ୍ଦିରକୁ ଯାଇ ମାର୍ଚ୍ଚ ୭ ତାରିଖ ଯାଏଁ ସେଠାରେ ବିଭିନ୍ନ ପ୍ରକାରର ସେବା କାର୍ଯ୍ୟରେ ଜଡ଼ିତ ଥିଲେ। ଓଡ଼ିଶାରୁ ମୋଟ ୧୫ ଜଣ ମଧ୍ୟରେ ତାଳଚେରର ଏକମାତ୍ର ରାମ ସେବକ ଭାବେ ଶ୍ରୀ ଦେହୁରୀ ପ୍ରଭୁ ରାମଲାଲାଙ୍କ ମନ୍ଦିରରେ ବିଭିନ୍ନ କାର୍ଯ୍ୟ କରିବାକୁ ସୁଯୋଗ ପାଇଥିଲେ।

ଶ୍ରୀ ଦେହୁରୀଙ୍କ ସୂଚନା ଅନୁସାରେ ସେ ଅନ୍ୟ ରାମ ସେବକମାନଙ୍କ ସହ ମିଶି ସେଠାରେ ଭୋଗ ପ୍ୟାକେଟ୍ ତିଆରି କରିବା, ଶ୍ରଦ୍ଧାଳୁଙ୍କୁ ଖାଦ୍ୟ ପରଷିବା, ଭକ୍ତଙ୍କୁ ନେଇ ପ୍ରଭୁ ରାମ ଲାଲାଙ୍କୁ ଦର୍ଶନ କରାଇବା, ଓଡ଼ିଶାର ଭକ୍ତମାନଙ୍କ ସହ କଥା ହୋଇ ସେମାନଙ୍କୁ ମନ୍ଦିରରେ ସୁରୁଖୁରୁରେ ପହଞ୍ଚାଇବା, ମନ୍ଦିର ପରିସରକୁ ସ୍ୱଚ୍ଛ କରିବା, ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରିବା ଆଦି ବିଭିନ୍ନ ପ୍ରକାରର ସେବା କାର୍ଯ୍ୟରେ ନିୟୋଜିତ ଥିଲେ। ତାଙ୍କୁ ଦାୟିତ୍ୱ ଦିଆଯାଇଥିବା ସମସ୍ତ କାର୍ଯ୍ୟକୁ ସୂଚାରୁ ତଥା ଶ୍ରଦ୍ଧାର ସହ ସମ୍ପନ୍ନ କରିଛନ୍ତି ବୋଲି ଶ୍ରୀ ଦେହୁରୀ ପ୍ରକାଶ କରିବା ସହ ପ୍ରଭୁ ଶ୍ରୀରାମଙ୍କ ସେବା କାର୍ଯ୍ୟ ନିମନ୍ତେ ତାଙ୍କୁ ସୁଯୋଗ ମିଳିଥିବାରୁ ସେ ନିଜକୁ ଧନ୍ୟ ମନେ କରୁଛନ୍ତି ଏବଂ ଏଥିପାଇଁ ଭଗବାନଙ୍କ ଠାରେ ସେ ଚିର କୃତଜ୍ଞ ବୋଲି ପ୍ରକାଶ କରିଛନ୍ତି।