ଅନ୍ୟାନ୍ୟ

ସ୍କୁଲ ବାର୍ଷିକ ଉତ୍ସବରେ କୃତୀ ଛାତ୍ରଛାତ୍ରୀ ପୁରସ୍କୃତ: ଶିକ୍ଷା ସହ ପ୍ରତିଭା ବିକାଶ ଉପରେ ଅତିଥିଙ୍କ ଗୁରୁତ୍ୱ

By Angul TV Bureau

March 21, 2026

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠରେ ଅବସ୍ଥିତ ରାଣୀଗୋଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସମାରୋହ ଗତକାଲି ଅପରାହ୍ନରେ ମହାସମାରୋହରେ ପାଳିତ ହୋଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅନୀଲ କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ପ୍ରକାଶ ଚନ୍ଦ୍ର ଦେହୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପଞ୍ଚସଖା ଶିକ୍ଷା ସେତୁ ସଭାପତି ପୂର୍ଣ୍ଣଚନ୍ଦ୍ର ସିଂହ ସାମନ୍ତ ମୁଖ୍ୟ ବକ୍ତା ଭାବେ ଏବଂ ସି.ଆର.ସି.ସି. କୁମୁଦ ଚନ୍ଦ୍ର ଭୋଇ, ସମାଜସେବୀ ନିର ସାହୁ ଓ ବରିଷ୍ଠ ନାଗରିକ ମଞ୍ଚର ସଂଗଠନ ସମ୍ପାଦକ ତ୍ରେତାନନ୍ଦ ସାମନ୍ତ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଛାତ୍ରୀମାନଙ୍କ ଦ୍ୱାରା ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ ପରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରାଯାଇଥିଲା।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରୋଦ କୁମାର ସେନାପତି ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶିକ୍ଷୟିତ୍ରୀ ରଞ୍ଜିତାରାଣୀ ପଣ୍ଡା ପାଣିଗ୍ରାହୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷୟିତ୍ରୀ ନିରୁପମା ସାହୁ, ବବିତା ସାହୁ, ବିନୋଦିନୀ ସାହୁ ଓ ସୀମନ୍ତିନୀ ଜଗତ ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା।

ସନ୍ଧ୍ୟା ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉତ୍ସବରେ ଅଭିଭାବକ, କମିଟି ସଦସ୍ୟ, ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।