ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଲଜ୍ଜା। କାଜୁ ଜଙ୍ଗଲରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ହାଣ୍ଡିଗୋଡ଼ା ଗାଁ ନିକଟସ୍ଥ କାଜୁ ଜଙ୍ଗଲରେ ବାଗଡିଆ ଥାନା ଅଞ୍ଚଳର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ସମ୍ପର୍କୀୟ ପିଉସା ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ ଯେ ମଙ୍ଗଳବାର ଅପରାହ୍ନରେ ବାଗଡ଼ିଆ ଥାନା ଅଞ୍ଚଳର ପ୍ରଫୁଲ୍ଲ ପ୍ରଧାନ ସେହି ଥାନା ଅଞ୍ଚଳର ସପ୍ତମ ଶ୍ରେଣୀ ପଢ଼ୁଥିବା ନାବାଳିକାଙ୍କୁ ବ୍ଲକରୁ ବିରି ଆଣିବା ପାଇଁ କହି ମୋଟର ସାଇକେଲରେ ବସାଇ ଅପରାହ୍ନରେ ଘରୁ ଡାକି ଆଣିଥିଲେ। ଫେରିବାରେ ବିଳମ୍ବ ହେବା ଦେଖି ନାବାଳିକାଙ୍କ ମା’ ବାରମ୍ବାର ଫୋନ କରିଥିଲେ। ବାରମ୍ବାର ଫୋନ କରିବା ପରେ ରାତି ୮ଟା ବେଳେ ଗାଁ ଠାରୁ ୩କିଲୋ ମିଟର ଦୂର ଏକ ସ୍କୁଲ ପଛ ପାଖେ ଛାଡ଼ିବା ସହିତ ଏହି ଘଟଣା କାହାକୁ ନକହିବା ପାଇଁ ୨ଶହ ଟଙ୍କା ଦେଇ ଫେରାର ହୋଇ ଯାଇଥିଲେ।
ଏ ନେଇ ପରିବାର ଲୋକ ଝିଅକୁ ପାଇବା ପରେ ଘଟଣା ସମ୍ପର୍କରେ ଜାଣିବା ପରେ ବୁଧବାର ଛେଣ୍ଡିପଦା ଥାନା ଲିଖିତ ଅଭିଯୋଗ କରିଛନ୍ତି। ଛେଣ୍ଡିପଦା ଥାନା ପୋଲିସ ଅଭିଯୋଗକୁ ଭିତ୍ତି କରି ଥାନା କେସ ନଂ ୬୩୨/୨୫ରେ ମାମଲା ରୁଜୁ କରି ଘଟଣାର ଛାନଭିନ ଚଳାଇଛି। ପୋଲିସ ନାବାଳିକାଙ୍କ ବୟାନକୁ ରେକର୍ଡ କରିବା ସହିତ ଉକ୍ତ ଯୁବକଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି।