ଅନୁଗୁଳ: ଅନୁଗୁଳ ସହରରେ ସନାତନ ଜାଗୃତି ପରିଷଦ ଓ ଭାରତୀୟ ନବବର୍ଷ ପାଳନ ସମିତି ପକ୍ଷରୁ ୧,୯୭,୨୯,୪୯,୧୨୭ ତମ ହିନ୍ଦୁ ନବବର୍ଷ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ମଦନମୋହନ ମନ୍ଦିରରେ ୧୦୮ ପ୍ରଦୀପ ପ୍ରଜ୍ଜ୍ବଳନ, ସୂର୍ଯ୍ୟ ପୂଜା, ହନୁମାନ ଚାଳିଶା ଓ ବିଷ୍ଣୁ ସହସ୍ରନାମ ପାଠ କରାଯାଇ ବିଶ୍ୱ କଲ୍ୟାଣ କାମନା କରାଯାଇଥିଲା। ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଦଶହରା ପଡ଼ିଆଠାରେ ଧର୍ମସଭା ଅନୁଷ୍ଠିତ ହୋଇଥିଲା।
ମୁଖ୍ୟ ଅତିଥି ଭାବେ ବାବା ପ୍ରଭୁପାଦ ମହାରାଜା ଯୋଗଦେଇ ନବବର୍ଷର ଶାସ୍ତ୍ରୀୟ ଓ ବୈଜ୍ଞାନିକ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ସମିତିର ସଭାପତି ପଣ୍ଡିତ ରୋହିତ କୁମାର ଦାଶଙ୍କ ସମେତ ସଚ୍ଚିନନ୍ଦନ ମହାରାଜା, ଯୋଗାଚାର୍ଯ୍ୟ ଅଭୟ ରାୟ ଓ ଅନ୍ୟାନ୍ୟ ଅତିଥିମାନେ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ପତଞ୍ଜଳୀ ଯୋଗ ସମିତି, ଆର୍ଯ୍ୟ ସମାଜ ଓ ବ୍ରହ୍ମାକୁମାରୀ ପରି ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ। ଏହି ବିଶେଷ ଦିବସକୁ ରାଷ୍ଟ୍ରୀୟ ଛୁଟିଦିନ ଭାବେ ଘୋଷଣା କରିବାକୁ ଏହି ଅବସରରେ ଦାବି କରାଯାଇଛି।