ମୁଖ୍ୟ ଖବର

ରାସ୍ତା କଡ଼ରେ ଗଡୁଛି ପାଉଁଶ ଗଦା

By Angul TV Bureau

September 08, 2021

ଅନୁଗୁଳ (Jugal Kishore Sahoo) : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ବାସୀଙ୍କୁ ରୋଗାଗ୍ରସ୍ତ କରି ଛଟପଟ କରି ମାରିବାକୁ ଏନ୍‌ଟିପିସି କର୍ତ୍ତୃପକ୍ଷ ଶପଥ ନେଇଥିବା ପରି ମନେହେଉଛି । କାରଣ ଯେଉଁ ପାଉଁଶକୁ ନେଇ ସୁପ୍ରିମିକୋର୍ଟ ଏବଂ ଜିଲ୍ଲାପାଳ ତାଗିଦ କରିଛନ୍ତି ସେହି ନିୟମକୁ ଫୁ କରି ଉଡ଼ାଇ ଦେଇଛନ୍ତି ଏନଟିପିସି କର୍ତ୍ତୃପକ୍ଷ । ପ୍ରକାଶ ଯେ,କଣିହାଁ ବ୍ଲକସ୍ଥ ଟାକୁଆ ଗ୍ରାମ ଠାରୁ ୩୦୦ ମିଟର ଦୂରରେ ଏନ୍‌ଟିପିସି ଷ୍ଟେଜ୍-୧ ପାଉଁଶ ପୋଖରୀ ପ୍ରାୟ ୬ଶହ ଏକର ପରିମିତ ଜାଗାରେ ରହିଛି । କେନ୍ଦ୍ରୀୟ ପରିବେଶ ଓ ପ୍ରଦୂଷଣ ମନ୍ତ୍ରଣାଳୟ ପାଉଁଶ ପରିବହନ ନିମନ୍ତେ ଏକ ସ୍ଵତନ୍ତ୍ର ଗାଇଡ଼ଲାଇନ ପ୍ରସ୍ତୁତ କରିଛନ୍ତି । ଯାହାକି ସବୁ ଶିଳ୍ପ ସଂସ୍ଥା ମାନିବାକୁ ବାଧ୍ୟ। ନିୟମ ମୁତାବକ ଏକ ଭାରୀଯାନ ଭଲକୋର ଗାଡ଼ି ଯୋଗେ ପାଉଁଶ ପରିବହନ କରାଯିବ । ପାଉଁଶ ଲଡିଂ ସମୟରେ ପାଉଁଶ ଉପରେ ପାଣି ସିଞ୍ଚନ ଏବଂ ଆସ୍‌ପଣ୍ଡରୁ ଭଲକୋର ଗାଡ଼ି ବାହାରିବା ପୂର୍ବରୁ ଚକା ଧୋଇବା ସହ ୪୦ କିମି ଗତିରେ ଗାଡ଼ି ଚଳାଚଳ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏହି ସବୁ ନିୟମକୁ ପରିବହନ କରୁଥିବା ଠିକାସଂସ୍ଥା ବାଏ ବାଏ କରି ଉଡ଼ାଇ ଦେଇଛନ୍ତି । ଆଶ୍ଚର୍ଯ୍ୟର କଥା ପାଉଁଶକୁ ଭଲକୋର ଗାଡ଼ି ବଦଳରେ ହାଇୱା କିମ୍ବା ଟ୍ରାକ୍ଟର ଯୋଗେ ବାଲି ବୋହିବା ପରି ଆସପଣ୍ଡରୁ ନେଇ ଯେଉଁଠି ପାରୁଛନ୍ତି ଗଦା ଯାଉଛି । ଯାହାକି ନିୟମ ବିରୋଧ । ଫଳରେ ଏହି ପାଉଁଶ ସାମାନ୍ୟ ପବନ ବହିଲେ ଉଡ଼ୁଥିବାରୁ କୁହୁଡ଼ି ସଦୃଶ ଭ୍ରମ ସୃଷ୍ଟି କରୁଥିବାରୁ ରାସ୍ତାରେ ଗାଡ଼ି ଚଳାଇବା ଅସମ୍ଭବ ହୋଇପଡୁଛି । ଏହି ପାଉଁଶ ଯୋଗୁଁ ପ୍ରାୟ ୫୦ ଖଣ୍ଡ ଗ୍ରାମର ଅଧବାସୀ ଏବଂ ପଶୁ ପକ୍ଷୀ ପ୍ରଭାବିତ ହେଉଛନ୍ତି । ଏନଟିପିସି ପକ୍ଷରୁ ଏନ୍‌ଏଚ୍ଏଆଇ ଟେଣ୍ଡର ନେଇଛି । ଏନଏଚ୍ଏଆଇ ଅଧୀନରେ ୬-୭ଟି ଠିକା ସଂସ୍ଥା ଜରିଆରେ ଏହି ପାଉଁଶ ବାହାରକୁ ହାଇୱା ଯୋଗେ ପରିବହନ କରାଯାଉଛି । ତେବେ ଗାଁ ଗହଳିରେ ବାଲି ଗଦା ଭଳି କିଭଳି ଭାବରେ ପାଉଁଶ ଗଦାଇବାକୁ ଠିକା ସଂସ୍ଥା ଅନୁମତି ଦେଉଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଠିକା ସଂସ୍ଥାକୁ ପାଉଁଶ ପରିବହନ କରିବାକୁ ଅନୁମତି ଦେଇଥିବା ଏନଟିପିସି କର୍ତ୍ତୃପକ୍ଷ ମଧ୍ୟ କିଭଳି ସବୁ ଦେଖି ଚୁପ ରହୁଛନ୍ତି ତାକୁ ନେଇ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି । ଠିକାସଂସ୍ଥାକୁ ପରିବହନ ନିମନ୍ତେ ଅନୁମତି ଦେଇ ଏନଟିପିସି କାମ ସାରି ଦେଇଥିବାପରି ମନେହେଉଛି । ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଦୂଷଣ ବିଭାଗ ଏ ଦିଗରେ ଦୃଷ୍ଟି ଦେଲେ ଅଞ୍ଚଳବାସୀ ପାଉଁଶ ଦ୍ଵାରା ସୃଷ୍ଟି ହେଉଥିବା ବିଭିନ୍ନ ରୋଗରୁ ମୁକ୍ତି ପାଇବା ସହ ସୁସ୍ଥ ଜୀବନ ନିଅନ୍ତେ ବୋଲି ମତ ପ୍ରକାଶ ପାଇଛି ।