ଅନୁଗୁଳ : ଆସନ୍ତା ଶନିବାର ଫେବୃୟାରୀ ୧୧ ତାରିଖରେ ଅନୁଗୁଳ, ତାଳଚେର, ଆଠମଲ୍ଲିକ, ପାଳଲହଡ଼ା, ଛେଣ୍ଡିପଦା ଓ ବଅଁରପାଳ ସ୍ଥିତ ଅଦାଲତ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧୀନ ମକଦ୍ଦମା ଯଥା- ଫୌଜଦାରୀ (ସାଲିସ ଯୋଗ୍ୟ), ଚେକ ବାଉନସ ମାମଲା, ବ୍ୟାଙ୍କ ଋଣ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଶ୍ରମ ବିବାଦ ମାମଲା, ଲୋକ ଉପଯୋଗୀ ସେବା ସମ୍ବନ୍ଧୀୟ ମାମଲାର ସମାଧାନ କରାଯାଇପାରିବ। ଏହା ସହିତ ପ୍ରାକ-ମକଦ୍ଦମା ସ୍ତରୀୟ (କଚେରୀରେ ଦାୟର ହୋଇନଥିବା) ମାମଲା ତଥା ଚେକ ବାଉନସ ମାମଲା, ବ୍ୟାଙ୍କ ଋଣ ବିବାଦ, ଶ୍ରମ ବିବାଦ, ଲୋକ ଉପଯୋଗୀ ସେବା ସମ୍ବନ୍ଧୀୟ ବିବାଦ ଗୁଡ଼ିକ (ସାଲିସ ବିହୀନ ବିବାଦକୁ ବାଦ ଦେଇ), ଭରଣପୋଷଣ ବିବାଦ ଓ ଅନ୍ୟାନ୍ୟ ମକଦ୍ଦମା ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ। ଲୋକ ଅଦାଲତରେ ମକଦ୍ଦମା/ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡେ ନାହିଁ ଏବଂ ଲୋକ ଅଦାଲତଙ୍କ ରାୟ ବୈଧ, ଚୂଡାନ୍ତ ଏବଂ ଅମଳଯୋଗ୍ୟ। ଦୀର୍ଘ ଦିନ ଧରି ଚାଲୁରହିଥିବା ମକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇବା ପାଇଁ ଏହା ଏକ ସୁଯୋଗ। ଅଧିକ ସୂଚନା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ ସହ ଯୋଗାଯୋଗ କରିବାକୁ କୁହାଯାଇଛି।