ଅନ୍ୟାନ୍ୟ

ଜାତୀୟ ବଧିର କ୍ରିକେଟ୍ ଦଳରେ ତାଳଚେରର ସନ୍ତୋଷ ମହାପାତ୍ର, ଶୁଭେଚ୍ଛା ଜଣାଇଲେ ଆରଡିସି ଓ ଜିଲ୍ଲାପାଳ

By Angul TV Bureau

November 22, 2024

ଅନୁଗୁଳ : ଭାରତର ଜାତୀୟ ବଧିର କ୍ରିକେଟ୍ ଟିମ୍‌ରେ ସାମିଲ ହୋଇଛନ୍ତି ଅନୁଗୁଳ ଜିଲ୍ଲା ତାଳଚେରର ବଧିର କ୍ରିକେଟ୍ ଖେଳାଳି ସନ୍ତୋଷ କୁମାର ମହାପାତ୍ର। ଆସନ୍ତା ଡିସେମ୍ବର ୨ ତାରିଖଠାରୁ ୮ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀଠାରେ ଖେଳା ଯିବାକୁ ଥିବା ଭାରତ ଓ ଶ୍ରୀଲଙ୍କା ଦିନିକିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଶ୍ରୀ ମହାପାତ୍ର ଖେଳିବେ ବୋଲି ଭାରତୀୟ ବଧିର କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ସୂଚନା ମିଳିଛି। କ୍ରିକେଟ୍ ଆସୋସିଏସନ୍‌ର ସଭାପତି ସୁମିତ୍ ଜୈନ ଓ ସମ୍ପାଦକ ଅଜୟ କୁମାର ପତ୍ର ମାଧ୍ୟମରେ ସନ୍ତୋଷ କୁମାର ମହାପାତ୍ର ଏ ନେଇ ସୂଚନା ଦେଇଛନ୍ତି। ସନ୍ତୋଷ ତାଳଚେର ୟୁଥ୍ ସ୍ପୋଟିଂ କ୍ଲବ୍ ତରଫରୁ ନିଜର କ୍ରିକେଟ୍ ଖେଳ ଜୀବନ ଆରମ୍ଭ କରି ଭାରତୀୟ ଦଳରେ ସାମିଲ ହୋଇଥିବାରୁ ଜିଲ୍ଲାର କ୍ରିକେଟ୍ ପ୍ରେମୀଙ୍କ ମହଲରେ ଖୁସି ପ୍ରକାଶ ପାଇଛି।

ଏନେଇ ଗୁରୁବାର ପୂର୍ବାହ୍ନରେ ସନ୍ତୋଷ ସମ୍ବଲପୁର ଆରଡିସି ସଚ୍ଚିନ ରାମଚନ୍ଦ୍ର ଯାଦବ ଓ ଅନୁଗୁଳ ଜିଲ୍ଲାପାଳ ମହମ୍ମଦ୍ ଅକତରଙ୍କୁ ସାକ୍ଷାତ କରିଛନ୍ତି। ଆରଡିସି ଓ ଜିଲ୍ଲାପାଳ ସନ୍ତୋଷଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସଫଳତା କାମନା କରିଛନ୍ତି। ଖେଳରେ ଆଗକୁ ବଢ଼ିବା ନିମନ୍ତେ ଜିଲ୍ଲା ପ୍ରଶାସନ ସମସ୍ତ ସହଯୋଗର ହାତ ବଢ଼ାଇବା ନେଇ ପ୍ରତିଶ୍ରୁତି ଦେଇଥିବା ସନ୍ତୋଷ ପ୍ରକାଶ କରିଛନ୍ତି। ଏହି ସାକ୍ଷାତ ସମୟରେ ଜିଲ୍ଲା ବଧିର ସଂଘର ସଭାପତି ପର୍ଶୁରାମ ଦାଶ, ସମ୍ପାଦକ ବିଶ୍ବଜିତ୍ ହୋତା ଓ ସନ୍ତୋଷଙ୍କ ପିତା ବସନ୍ତ କୁମାର ମହାପାତ୍ର ଓ ମା’ ସନ୍ଧ୍ଯାରାଣୀ ମହାପାତ୍ର ଉପସ୍ଥିତ ଥିଲେ।