ଅନୁଗୁଳ: ଉତ୍ତରାଞ୍ଚଳ ରାଜସ୍ବ କମିଶନର ସୁରେଶ ଚନ୍ଦ୍ର ଦଳାଇ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମ୍ ଠାରେ ପହଞ୍ଚି ପ୍ରାରମ୍ଭିକ ଭାବେ ଦାଖଲ ହୋଇଥିବା ୪୮ଗୋଟି ରିଟିପିଟିସନ୍ ମଧ୍ୟରୁ ୨୦ ଟିର ତୁରନ୍ତ ଫଇସଲା କରିଛନ୍ତି। ଏଥିସହ ଅନୁଗୁଳ ଜିଲ୍ଲାର ସମସ୍ତ ୮ ଗୋଟି ତହସିଲର ବିଭିନ୍ନ ରାଜସ୍ବ ମକଦ୍ଦମା ଫଇସଲା ଓ ବକେୟା ରାଜସ୍ବ ମାମଲାଗୁଡିକର ଆଶୁ ଫଇସଲା ନିମନ୍ତେ ସମୀକ୍ଷା କରିବା ସହିତ ସମ୍ପୃକ୍ତ ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଧାର୍ଯ୍ୟ ଲକ୍ଷ୍ୟ ରାଜସ୍ବ ଆଦାୟ ଉପରେ ସମୀକ୍ଷା କରି ବକେୟା ଥିବା ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କୁ ଯୋଗାଯୋଗ କରି ଧାର୍ଯ୍ୟ ଲକ୍ଷ୍ୟ ରାଜସ୍ବ ଆଦାୟ ନିମନ୍ତେ ପରାମର୍ଶ ଦେଇଥିଲେ।
ଏ ଅବସରରେ ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଜଳାଶୟ କିସମ ଜମିର କିସମ ପରିବର୍ତ୍ତନ (conversion ) ପାଇଁ ତହସିଲଦାର ଓ ଉପଜିଲ୍ଲାପାଳମାନେ ଦେଇଥିବା ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା ଏବଂ ସରକାରୀ ନିୟମାନୁଯାୟୀ ସମ୍ପୃକ୍ତ ଅଧ୍ୟକ୍ଷଣ ଯନ୍ତ୍ରୀ ,ଜଳସେଚନ ବିଭାଗ, ଆବଶ୍ୟକୀୟ କ୍ଷେତ୍ର ପରିଦର୍ଶନ କରି ସମସ୍ତ ପ୍ରସ୍ତାବ ଗୁଡିକୁ ବିଚାର ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।
ସମୀକ୍ଷା ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ତହସିଲଦାର, ଅତିରିକ୍ତ ତହସିଲଦାର, ଅଧୀକ୍ଷଣ ଯନ୍ତ୍ର ଜଳସେଚନ ବିଭାଗ ଓ ଏନ୍ ଟି ପି ସି, ନାଲ୍କୋ, ମହାନଦୀ କୋଇଲା ଖଣିର ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।
ଶେଷରେ ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଯଥା– ବ୍ଲାକ ଡାଇମଣ୍ଡ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ ଗୃହ, ଅନୁଗୁଳ ଷ୍ଟାଡିୟମ, ନୂତନ ବସଷ୍ଟାଣ୍ଡ ଓ ସ୍ମାର୍ଟ ପାର୍କ ଇତ୍ୟାଦି ପରିଦର୍ଶନ କରିଥିଲେ।