ମୁଖ୍ୟ ଖବର

ଅନୁଗୁଳ ଗସ୍ତରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର, ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା ସହ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ

By Angul TV Bureau

December 03, 2022

ଅନୁଗୁଳ: ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇ ଶୁକ୍ରବାର ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ବିଭିନ୍ନ ବିଭାଗର କାର୍ଯ୍ୟ ନିରୀକ୍ଷଣ କରିଛନ୍ତି। ଏ ଅବସରରେ ସେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାଗୁଡିକ କିପରି ଜନସାଧାରଣଙ୍କ ନିକଟରେ ପହଞ୍ଚାଯାଇପାରିବ ସେ ନେଇ ବିଭାଗୀୟ ଅଧିକାରୀମାନେ ତତ୍ପରତାର ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ପିଲାମାନେ କିପରି ଭଲ ନମ୍ବର ରଖି ପାସ୍ କରିବେ ସେଥିପ୍ରତି ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରଙ୍କୁ ବିଭିନ୍ନ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର କୋଚିଂ ବ୍ୟବସ୍ଥା କରାଇବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଏଥିସହ ଢେଙ୍କାନାଳ-ଅନୁଗୁଳ, ଅନୁଗୁଳ-ସମ୍ବଲପୁର ଜାତୀୟ ରାଜପଥର ବିଭିନ୍ନ ସମସ୍ୟା ଏବଂ ନୂତନ ରାସ୍ତାକୁ ଯଥାଶୀଘ୍ର ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସ୍ବାସ୍ଥ୍ୟ ବିଭାଗର ସମସ୍ତ ସବ୍ ସେଣ୍ଟରଗୁଡିକରେ ପାନୀୟ ଜଳ ଯୋଗାଣ ଓ ବିଜୁଳି ସଂଯୋଗୀକରଣ ଉପରେ ଆଲୋକପାତ କରିଥିଲେ। ସେହିପରି କୃଷି, ମତ୍ସ୍ୟ, ଜଳ ବିଭାଜିକା, ଉଦ୍ୟାନ ବିଭାଗ ଓ ଜଳ ସେଚନ ଆଦି ବିଭିନ୍ନ ବିଭାଗ ସମ୍ପର୍କରେ ଆଲୋଚନା କରିବା ସହ ଅଧିକାରୀଙ୍କୁ ନିଜ ନିଜ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା, ଅନୁଗୁଳ ଉପଜିଲ୍ଲାପାଳ ବଇତୁରା ଦିପ୍, ତାଳଚେର ଉପଜିଲ୍ଲାପାଳ ବିଶ୍ବରଞ୍ଜନ ରଥ, ଆଠମଲ୍ଲିକ ଉପଜିଲ୍ଲାପାଳ ତରଣୀ ସୁନା, ପାଳଲହଡା ଉପଜିଲ୍ଲାପାଳ ସୁଶାନ୍ତ କୁମାର ପତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ସମସ୍ତ ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।