ମୁଖ୍ୟ ଖବର

ଧରଣୀଧର ସାହୁଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କଲେ ଅନୁଗୁଳ ବିଜେଡି ସଭାପତି

By Angul TV Bureau

May 13, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେଡିରେ ବଢ଼ିଲା ଅସନ୍ତୋଷ। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଜିଲ୍ଲା ବିଜେଡି ଉପ-ସଭାପତି ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁଙ୍କ ବିରୋଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଏନେଇ ଅନୁଗୁଳ ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ବ୍ରଜକିଶୋର ପ୍ରଧାନ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖିଛନ୍ତି।

ଧରଣୀଧରଙ୍କ କାର୍ଯ୍ୟକଳାପ ଯୋଗୁଁ ତୃଣମୂଳ ସ୍ତରରେ ଦଳର ଭାବମୂର୍ତ୍ତି କ୍ଷୁଣ୍ଣ ହେଉଥିବା ଏବଂ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଥିବା ପତ୍ରରେ ଉଲ୍ଲେଖ କରାଯାଇଛି। ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ଏହି ନେତାଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ସେ ନିଜ ଆଚରଣରେ ସୁଧାର ଆଣୁ ନଥିବା ଦର୍ଶାଯାଇଛି। ଦଳର ଏକତା ଓ ଶୃଙ୍ଖଳା ରକ୍ଷା ପାଇଁ ତାଙ୍କ ବିରୋଧରେ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ଏହି ଘଟଣା ଏବେ ସ୍ଥାନୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।