ମୁଖ୍ୟ ଖବର

ଅନଲାଇନ କାରବାରରେ ରେକର୍ଡ : ମାସକରେ ୨୦ ଲକ୍ଷ କୋଟି ୟୁପିଆଇ କାରବାର

By Angul TV Bureau

June 03, 2024

ନୂଆଦିଲ୍ଲୀ: ମାସକରେ ୨୦ ଲକ୍ଷ କୋଟି ୟୁପିଆଇ କାରବାର। ମେ’ ମାସରେ ୟୁନାଇଟେଡ ପେମେ‌ଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) କାରବାର ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି। ଗତ ମାସରେ ୧୪.୦୪ ବିଲିଅନ କାରବାର ହୋଇଛି। ଏହା ମାଧ୍ୟମରେ ୨୦.୪୫ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି। ଗତ ଏପ୍ରିଲ ମାସରେ ୧୩.୩୦ ବିଲିଅନ ସଂଖ୍ୟକ କାରବାର ହୋଇଥିଲା। ତେଣୁ ସଂଖ୍ୟା ଦୃଷ୍ଟିରୁ ଏପ୍ରିଲ ତୁଳନାରେ ମେ ମାସରେ ୬ ପ୍ରତିଶତ ବୃଦ୍ଧି ଘଟିଛି। କିନ୍ତୁ ମୂଲ୍ୟ ଦୃଷ୍ଟିରୁ ୟୁପିଆଇ କାରବାରରେ ୪ ପ୍ରତିଶତ ବୃଦ୍ଧି ଘଟିଛି। ଏପ୍ରିଲ ମାସରେ ଏହା ୧୯.୬୪ ଲକ୍ଷ କୋଟି ଟଙ୍କା ରହିଥିଲା।

ନ୍ୟାସନାଲ ପେମେଣ୍ଟ କର୍ପୋରସେନ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତବର୍ଷ ମେ’ ମାସ ତୁଳନାରେ ଚଳିତବର୍ଷ ମେ ମାସରେ ୟୁପିଆଇ କାରବାର ସଂଖ୍ୟା ୪୯ ପ୍ରତିଶତ ଏବଂ ମୂଲ୍ୟରେ ୩୯ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୬ ଏପ୍ରିଲରେ ୟୁପିଆଇ କାରବାର ଆରମ୍ଭ ହେବା ଦିନ ଠାରୁ ମେ ମାସର ଉପରୋକ୍ତ ଉଭୟ ସଂଖ୍ୟା ସର୍ବାଧିକ ବୋଲି କୁହାଯାଇଛି।

ଆଇଏମ୍‌ପିଏସ୍‌ (ଇମିଡିଏଟ୍ ପେମେଣ୍ଟ ସର୍ଭି‌ସ୍‌ (ଆଇଏମ୍‌ପିଏସ୍‌) କାରବାର ସଂଖ୍ୟା ଗତ ଏପ୍ରିଲ ତୁଳନାରେ ୧.୪୫ ପ୍ରତିଶତ ବୃଦ୍ଧି ଘଟି ୫୫୮ ନିୟୁତରେ ପହଞ୍ଚିଛି। ମୂଲ୍ୟଦୃଷ୍ଟିରୁ ଏପ୍ରିଲ ତୁଳନାରେ ମେ ମାସରେ ୨.୩୬ ପ୍ରତିଶତ ବୃଦ୍ଧି ଘଟି ୬.୦୬ ଲକ୍ଷ କୋଟି ଟଙ୍କା ଛୁଇଁଛି। ଏପ୍ରିଲ ମାସରେ ଏହା ୫.୯୨ ଲକ୍ଷ କୋଟି ଟଙ୍କା ରହିଥିଲା।ଫାସଟ୍ୟାଗ୍‌ କାରବାର ସଂଖ୍ୟା ମଧ୍ୟ ମେ’ ମାସରେ ୬ ପ୍ରତିଶତ ବୃଦ୍ଧି ଘଟି ୩୪୭ ନିୟୁତରେ ପହଞ୍ଚିଛି। ଏପ୍ରିଲ ମାସରେ ଏହା ୩୨୮ ନିୟୁତ ରହିଥିଲା।