ମୁଖ୍ୟ ଖବର

ବଙ୍ଗୋପସାଗରରେ ପୁଣି ହଲଚଲ! ୧୩ ତାରିଖରେ ଲଘୁଚାପ ସମ୍ଭାବନା, ବାତ୍ୟା ହେବା ଆଶଙ୍କା!

By Angul TV Bureau

October 12, 2026

ଭୁବନେଶ୍ୱର: ଦଶହରା ପରେ ପୁଣି ବଙ୍ଗୋପସାଗର ଅଶାନ୍ତ ହେବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁଯାୟୀ, ଦକ୍ଷିଣ-ପୂର୍ବ ଏସିଆରୁ ଆସୁଥିବା ଏକ ଘୂର୍ଣ୍ଣିବଳୟ ଆଣ୍ଡାମାନ ସାଗର ଆଡ଼କୁ ଅଗ୍ରସର ହେଉଛି।ଏହି ଘୂର୍ଣ୍ଣିବଳୟଟି ୧୧ ଅକ୍ଟୋବର ସୁଦ୍ଧା ଆଣ୍ଡାମାନ ସାଗରରେ ପହଞ୍ଚିବ ଏବଂ ଏହାର ପ୍ରଭାବରେ ୧୩ ଅକ୍ଟୋବର ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

ବର୍ତ୍ତମାନ ସୁଦ୍ଧା ବାତ୍ୟାର ସ୍ପଷ୍ଟ ସଙ୍କେତ ନାହିଁ। ୟୁରୋପୀୟ ମଡେଲ୍ (ECMWF) ଏହାକୁ ଅବପାତ କିମ୍ବା ଗଭୀର ଅବପାତରେ ପରିଣତ ହେବ ବୋଲି ଆକଳନ କରିଛି। ଅନ୍ୟପଟେ ଆମେରିକୀୟ ମଡେଲ୍ NCEP ମଧ୍ୟ ସମାନ ପୂର୍ବାନୁମାନ କରିଛି। ଏହାର ଗତିପଥ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଆଡ଼କୁ ରହିପାରେ।

ତେବେ ଓଡ଼ିଶାକୁ ସିଧା ବାତ୍ୟା ବିପଦ ନାହିଁ, କିନ୍ତୁ ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ବଢିପାରେ। ଅପରପକ୍ଷରେ ଆଜି ପାଇଁ ରାଜ୍ୟର ୧୩ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣିଂ ଜାରି କରାଯାଇଛି।