କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ରେଙ୍ଗାଳି ଗ୍ରାମରେ ୬ ଅକ୍ଟୋବରରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମରେ ପାଳିତ ହୋଇଛି। ଗ୍ରାମର ବାଲିପଶି, ମା’ ମଙ୍ଗଳା, ଡିଏସପି, ମନ୍ଦିର ଛକ, ଗାନ୍ଧୀ ଛକ, ସଡ଼କ ସାହି, ନୂଆସାହି, ପାହାଡ଼ି ଓ ରାମେଶ୍ୱର ସାହି ସମେତ ୯ଟି ପୂଜା କମିଟି ଉଚ୍ଚ ତୋରଣ, ଆଲୋକମାଳା ଓ ଝଲସା ଗେଟରେ ଗ୍ରାମକୁ ସଜାଇଥିଲେ। ପ୍ରତିଦିନ ସନ୍ଧ୍ୟାରେ ମାନଵ କଳାକୁଞ୍ଜ, ମାନଵ ଷ୍ଟାଚୁ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମରେ ବହୁ ଲୋକଙ୍କ ଭିଡ଼ ହୋଇଥିଲା।
ଆଠ ଦିନର ପୂଜା ପରେ ଆଜି ସମସ୍ତ ସାହିର ମେଢ଼ ଶୋଭାଯାତ୍ରାରେ ରେଙ୍ଗାଳି ପ୍ରକଳ୍ପ ହାଇସ୍କୁଲ ଖେଳପଡ଼ିଆରେ ମେଳଣରେ ସାମିଲ ହୋଇଥିଲେ। ଏହି ମେଳଣରେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ରଶ୍ମିତା ସେଠୀ, ସମିତି ସଭ୍ୟ ଦେବାଶିଷ ମହାନ୍ତି, ସମାଜସେବୀ ଧୃବ ଚରଣ ଧୀର, ଗ୍ରାମ କମିଟି ସଭାପତି ନାରାୟଣ ଧୀର ଓ ସଂପାଦକ ପ୍ରଜ୍ଞାବୀର ଦାଶ ଉପସ୍ଥିତ ଥିଲେ।
ସଭାରେ ମା’ଙ୍କ ଆଜ୍ଞାଲଡୁ ନିଲାମ ହୋଇଥିଲା। ଡିଏସପି ଲକ୍ଷ୍ମୀ ପୂଜା କମିଟି ୧ ଲକ୍ଷ ୧ ହଜାର ଟଙ୍କାରେ ଆଜ୍ଞାଲଡୁ ନେଇଥିଲେ। ଶିକ୍ଷକ ସନ୍ତୋଷ ସାହୁ ଅତିଥି ପରିଚୟ ଦେଇଥିବା ବେଳେ ଯୁବ ସମାଜସେବୀ ଧୃବ ଚରଣ ଧୀର ମଞ୍ଚ ପରିଚାଳନା କରିଥିଲେ। ସମସ୍ତ ନୀତି ଶେଷ ହେବା ପରେ ମା’ଙ୍କ ବିସର୍ଜନ ଶୋଭାଯାତ୍ରା ବାହାରି ରେଙ୍ଗାଳି ପ୍ରକଳ୍ପ ଅଞ୍ଚଳ ପରିକ୍ରମା କରି ଦେନାଳି ଘାଟରେ ବିସର୍ଜିତ ହୋଇଥିଲା। ଶାନ୍ତି ଓ ଶୃଙ୍ଖଳା ପାଇଁ ରେଙ୍ଗାଳି ପୋଲିସ ବିଶେଷ ବ୍ୟବସ୍ଥା କରିଥିଲା। ଗ୍ରାମ କମିଟି ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।