ମୁଖ୍ୟ ଖବର

ଓଏଲଏକ୍ସରେ କ୍ୟାମେରା ଭଡ଼ା ଦେଇ ଫସିଲେ

୯୦ ହଜାର ଟଙ୍କାର କ୍ୟାମେରା ନେଇ ପାର୍

By Angul TV Bureau

February 17, 2021

ଅନୁଗୁଳ: ଓଏଲ୍ଏକ୍ସରେ ଭଡ଼ାରେ ଦେଇଥିଲେ କ୍ୟାମେରା । ଭଡ଼ା ବାବଦକୁ ମିଳିଥିଲା ୪ ହଜାର ଟଙ୍କା । ହେଲେ ଗୋଟିଏ ଦିନ ପାଇଁ ଭଡ଼ା ନେଇ ଫେରାଇବାର ନାଁ’ ଧରୁନି ଦୁର୍ବୃତ୍ତ । ଫେରାଇବା ବଦଳରେ କ୍ୟାମେରାକୁ ଅନ୍ୟ ସ୍ଥାନରେ ବିକ୍ରି କରିବାକୁ ବିଜ୍ଞାପନ ଦେଇଛି । ଏଭଳି ଏକ ରୋଚକ ଘଟଣା ନେ଼ଇ ଅନୁଗୁଳ ଥାନାରେ ମାମଲା ରୁଜ୍ଜୁ ହୋଇଥିବା ଜଣାପଡିଛି। ଅଭିଯୋଗ ମୁତାବକ, ଠକାମିର ଶିକାର ହୋଇଥିବା ଯୁବକ ହେଲେ କଣିହାଁ ବ୍ଲକ ରେଙ୍ଗାଳି ଅଞ୍ଚଳର ଫାରୁକ ଖାନ୍ । ସେ ଅନୁଗୁଳ ଶିମିଳିପଡ଼ାରେ ଘର ଭଡ଼ା ନେଇ ରହୁଛନ୍ତି । ୬ ମାସ ତଳେ ପ୍ରାୟ ୯୦ ହଜାର ଟଙ୍କାରେ ଦୁଇଟି କ୍ୟାମେରା କିଣିଥିଲେ । କ୍ୟାମେରାକୁ ଓଏଲ୍ଏକ୍ସରେ ଭଡ଼ାରେ ଦେଇ ଟଙ୍କା ରୋଜଗାର କରୁଥିଲେ । ମାତ୍ର ଗତ ୧୩ ତାରିଖ ଦିନ ଓଏଲ୍ଏକ୍ସରେ ବିଜ୍ଞାପନ ଦେଖି ଅନୁଗୁଳ ସହରର ଜଣେ ଯୁବକ ତାଙ୍କୁ ଯୋଗାଯୋଗ କରିଥିଲେ । ସେହି ଦିନ ଅପରାହ୍ନ ସାଢ଼େ ୨ଟା ବେଳେ ସେ ପ୍ରମାଣପତ୍ର ସହ ସ୍ବାକ୍ଷର ଦେବା ସହ ୪ ହଜାର ଟଙ୍କା ଦେଇ ଫାରୁକ୍‌ଙ୍କ ଠାରୁ କ୍ୟାମେରା ଆଣିଥିଲେ । ହେଲେ ଗୋଟିଏ ଦିନ ବିତିବା ପରେ ସଂପୃକ୍ତ ଯୁବକ କ୍ୟାମେରା ଫେରାଇ ନଥିଲେ । ଫାରୁକ୍‌ଙ୍କ ଫୋନ୍ ଉଠାଇନଥିଲେ, ଏମିତିକି କିଛି ସମୟ ପରେ ଫୋନ୍ ସୁଇଚ୍ ଅଫ୍ କରି ଦେଇଥିଲେ। ପରେ ସମ୍ପୃକ୍ତ ଯୁବକ ଫାରୁକ୍‌ଙ୍କ କ୍ୟାମେରାକୁ ବିକ୍ରି କରିବାକୁ ହ୍ବାଟ୍‌ଅପ୍ ଷ୍ଟାଟରେ ବିଜ୍ଞାପନ ଦେଇଥିବା ଜାଣିବାକୁ ପାଇଥିଲେ । ଫଳରେ ସେ ଏନେଇ ଅନୁଗୁଳ ଥାନାରେ ଅନୁଗୁଳ ଥାନାର ଦ୍ବାରସ୍ଥ ହୋଇଥିବା ବେଳେ ପୁଲିସ୍ ଛାନ୍‌ଭିନ୍ ଆରମ୍ଭ କରିଛି ।