ଅନୁଗୁଳ: ମାସେ ପାଇଁ କ୍ୟାମେରା ଭଡ଼ାରେ ନେଲେ। ମାସ ଶେଷକୁ ଭଡ଼ା ଟଙ୍କା ତ ଦେଲେ ନାହିଁ, ଲକ୍ଷାଧିକ ଟଙ୍କାର ୩ଟି କ୍ୟାମେରା ମଧ୍ୟ ଫେରାଉନାହାନ୍ତି। ମାସେ ଯାଇ ୩ ମାସ ପୂରିଲା, ଧରାଛୁଆଁ ଦେଉନାହାନ୍ତି। ନାଲକୋନଗର ଥାନା ଇଲାକା କୁଲାଡ ଗ୍ରାମର ଜଣେ କ୍ୟାମେରା ବ୍ୟବସାୟୀ ଠକେଇର ଶିକାର ହୋଇ ଏହି ଅଭିଯୋଗ ଆଣିଛନ୍ତି। ପୁଲିସ୍ ସୂଚନା ମୁତାବକ, କୁଲାଡ ଗ୍ରାମର ପ୍ରତାପ ଦେହୁରୀ କ୍ୟାମେରା ବ୍ୟବସାୟ କରନ୍ତି । ଅନୁଗୁଳ ସହରର ଦେବାଶିଷ ବେହେରା ନାମକ ଯୁବକ ଗତ ମେ ମାସ ୯ ତାରିଖରେ ତାଙ୍କ ପାଖରେ ପହଞ୍ଚିଥିଲେ। ଏକ କମ୍ପାନିରେ ସୁଟିଂ ପାଇଁ କ୍ୟାମେରା ଆବଶ୍ୟକ । ତେଣୁ ୩ଟି କ୍ୟାମେରା ମାସେ ପାଇଁ ଭଡ଼ାରେ ଦେବାକୁ କହିଥିଲେ। ମାସ ଶେଷକୁ ଭଡ଼ାଟଙ୍କା ସହ କ୍ୟାମେରା ଫେରାଇବେ ବୋଲି ଦେବାଶିଷ କହିଥିଲେ । ମାତ୍ର ଇତି ମଧ୍ୟରେ ୩ ମାସ ପୂରିଲାଣି, ଭଡ଼ା ଟଙ୍କା ଦେଉନାହାନ୍ତି, କ୍ୟାମେରା ମଧ୍ୟ ଫେରାଉନଥିବା ପ୍ରତାପ ଅଭିଯୋଗ ଆଣି ଛନ୍ତି । ନାଲକୋ ଥାନାରେ ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି।