ଅନୁଗୁଳ: ସ୍ଥାନୀୟ ଗାନ୍ଧିମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆଜି ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହକାରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି କ୍ଷୀରୋଦ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ସମ୍ପାଦକ ଅଶୋକ କୁମାର ମୋଦୀ ଉପସ୍ଥିତ ରହି ଦିବସର ମହତ୍ତ୍ୱ ଏବଂ ନାଗରିକଙ୍କ ଅଧିକାରର ସୁରକ୍ଷା ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣାଦାୟୀ ଅଭିଭାଷଣ ପ୍ରଦାନ କରିଥିଲେ।
ଉତ୍ସବରେ ବିଦ୍ୟାଳୟର ଏନସିସି, ସ୍କାଉଟ ଓ ଗାଇଡ, ରେଡକ୍ରସ, ଘୋଷ ବାହିନୀ ପକ୍ଷରୁ ଆକର୍ଷଣୀୟ ପରେଟ ପ୍ରଦର୍ଶନ କରାଯାଇଥିଲା। ଏହା ସହିତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ଦେଶଭକ୍ତିପୂର୍ଣ୍ଣ ନୃତ୍ୟ ପରିବେଷଣ କରାଯାଇଥିଲା, ଯାହା ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ ଆଲୋକ ଭୋଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ +୨ ଅଧ୍ୟକ୍ଷ ସିଦ୍ଧନାଥ ସାହୁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶେଷରେ ବରିଷ୍ଠ ଆଚାର୍ଯ୍ୟ ଅକ୍ରୁର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ଓ କର୍ମଚାରୀବୃନ୍ଦ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।