ମୁଖ୍ୟ ଖବର

ଡାକ୍ତରଖାନାରେ ଖୋଲା ଆକାଶ ତଳେ ଅବହେଳିତ ଅବସ୍ଥାରେ ପଡ଼ିଛି ଜରୁରୀକାଳୀନ ସେବା ଗାଡ଼ି, ରକ୍ଷଣାବେକ୍ଷଣ ପାଇଁ ଦାବି

By Angul TV Bureau

September 12, 2022

ଆଠମଲ୍ଲିକ : ସ୍ଥାନୀୟ ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନାରେ ଜରୁରୀକାଳୀନ ସେବା ଗାଡ଼ିଗୁଡିକ ଅବହେଳିତ ଅବସ୍ଥାରେ ଖୋଲା ଆକାଶ ତଳେ ପଡ଼ି ରହିଛି। ଏଠାରେ ଗାଡ଼ି ରଖିବାକୁ ସ୍ୱତନ୍ତ୍ର ଘର ନ ଥିବାରୁ ଏହା ବାହାରେ ଖୋଲାମେଲାରେ ପଡ଼ି ଖରା ବର୍ଷା ଖାଉଛି। ଲକ୍ଷାଧିକ ମୂଲ୍ୟର ଏହି ଗାଡ଼ିଗୁଡ଼ିକର ରକ୍ଷଣାବେକ୍ଷଣ ପ୍ରତି ହସ୍ପିଟାଲ କର୍ତ୍ତୃପକ୍ଷ ଆଦୌ ଧ୍ୟାନ ଦେଉନାହାନ୍ତି।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି, ସାଂସଦ ପାଣ୍ଠିରୁ ମିଳିଥିବା ଏହି ଜରୁରୀକାଳୀନ ସେବା ଗାଡ଼ି ଓ ମହାପ୍ରୟାଣ ଜରୁରୀ ସେବା ଗାଡ଼ି ଉପଖଣ୍ଡ ଡାକ୍ତରଖାନା ପରିସରରେ ବାହାରେ ପଡ଼ିଛି। ଏହି ଗାଡ଼ିଗୁଡ଼ିକ ଚଳାଇବା ପାଇଁ ଜଣେ ମାତ୍ର ଡ୍ରାଇଭର ଅଛନ୍ତି। ରକ୍ଷଣାବେକ୍ଷଣ ଅଭାବରୁ ଗାଡ଼ିଗୁଡ଼ିକର ଯନ୍ତ୍ରାଂଶ ଖରାପ ହେବାର ଆଶଙ୍କା ରହିଛି।

କିଛିଦିନ ତଳେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ଆଠମଲ୍ଲିକ ଆସିଥିବା ବେଳେ ଓକିଲସଂଘ ପକ୍ଷରୁ ସଭାପତି ସୁଶାନ୍ତ କୁମାର ମହାପାତ୍ର ଏହି ଜରୁରୀକାଳୀନ ଗାଡ଼ିଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଗ୍ୟାରେଜ ବ୍ୟବସ୍ଥା କରାଇବାକୁ ଅନୁଦାନ ପ୍ରଦାନ ଲାଗି ଅନୁରୋଧ କରିଥିଲେ।

ଏ ନେଇ ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ସୁନୀଲ କୁମାର ପଣ୍ଡାଙ୍କୁ ପଚାରିବାରେ ସେ କୁହନ୍ତି, ଆଗରୁ ୨ ଟି ଗ୍ୟାରେଜ୍ ଥିଲା। ବର୍ତ୍ତମାନ ୫୦ ଶଯ୍ୟା ବିଶିଷ୍ଟ ଅନ୍ତଃବିଭାଗ ଓ ବହିଃବିଭାଗର ନୂତନ କୋଠା ନିର୍ମାଣ ପାଇଁ ଏହି ୨ ଟି ଗ୍ୟାରେଜକୁ ଭାଙ୍ଗି ଦିଆଯାଇଛି। ଫଳରେ ଉକ୍ତ ଗାଡ଼ିଗୁଡ଼ିକ ବାହାରେ ରଖାଯାଇଛି। ଜାଗା ଅଭାବରୁ ଗ୍ୟାରେଜ ନିର୍ମାଣ ହୋଇପାରୁନାହିଁ। ଅନ୍ୟପଟେ ଡ୍ରାଇଭର ଯୋଗାଇବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଚିଠି ଲେଖାଯାଇଛି ବୋଲି ଡାକ୍ତର ପଣ୍ଡା କହିଥିଲେ।