ଅନୁଗୁଳ : ଦୀର୍ଘ ସମୟ ଧରି ବିଦ୍ୟୁତ କାଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅନୁଗୁଳବାସୀ। ଜିଲ୍ଲା କଂଗ୍ରେସ କମିଟିର ସଦସ୍ୟ ଟିପିସିଓଡିଏଲ କାର୍ଯ୍ୟାଳୟରେ ପଶି ହଙ୍ଗାମା କରିବା ସହ ବିଦ୍ୟୁତ୍ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି।
ସୂଚନାଯୋଗ୍ୟ ଯେ, କାରଖାନା ଯନ୍ତ୍ରାଂଶ ବୋଝେଇ ଭାରିଯାନ ଯିବା ପାଇଁ ଗତକାଲି ମଧ୍ୟ ରାତ୍ରରୁ ଆଜି ଦିନ ୧୦ଟା ପର୍ଯ୍ୟନ୍ତ ସହରର ବିଭିନ୍ନ ସ୍ଥାନରେ ପର୍ଯ୍ୟାୟ କ୍ରମେ ୮ ରୁ ୧୦ ଘଣ୍ଟା ବିଦ୍ୟୁତ୍ ସରବରାହ ବନ୍ଦ ରହିବ ବୋଲି ଘୋଷଣା କରାଯାଇଥିଲା। ଏଥିପାଇଁ ସମସ୍ତଙ୍କୁ ସହଯୋଗ କରିବାକୁ ଟିପିସିଓଡିଏଲ ଅନୁରୋଧ କରିଥିଲା। ମାତ୍ର ଆଜି ଦିନ ୨ଟା ପର୍ଯ୍ୟନ୍ତ ସହରର ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ହୋଇନଥିଲା।
ଏଣୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିବାକୁ ଜିଲ୍ଲା କଂଗ୍ରେସ କାର୍ଯ୍ୟକର୍ତ୍ତା ଟିପିସିଓଡିଏଲ କାର୍ଯ୍ୟାଳୟକୁ ଯାଇଥିଲେ। ମାତ୍ର ସେଠାରେ ବରିଷ୍ଠ ଅଧିକାରୀ ନଥିବା ବେଳେ ଉପସ୍ଥିତ କର୍ମଚାରୀ ସମସ୍ୟା ବିଷୟରେ କିଛି ଜାଣି ନଥିବା କହିବା ପରେ କଂଗ୍ରେସ କାର୍ଯ୍ୟକର୍ତ୍ତା ଉତ୍ତ୍ୟକ୍ତ ହୋଇଥିଲେ। ଫଳରେ ଫାଟକ ବନ୍ଦ କରି କାର୍ଯ୍ୟାଳୟରୁ ସମସ୍ତ କର୍ମଚାରୀଙ୍କୁ ବାହାରକୁ ପଠାଇଦେଇଥିଲେ।
କଂଗ୍ରେସ କମିଟି ପକ୍ଷରୁ ଟିପିସିଓଡିଏଲ ଏସଡିଓଙ୍କୁ ଫୋନ କରି ଡାକିଥିଲେ। କିଛି ସମୟ ପରେ ଟିପିସିଓଡିଏଲ ଏସଡିଓ ସୁନୀଲ ନନ୍ଦ କାର୍ଯ୍ୟାଳୟରେ ପହଞ୍ଚି ବିଦ୍ୟୁତ୍ ଯୋଗାଣରେ ବିଳମ୍ବ ହେବାରୁ କଂଗ୍ରେସ କମିଟି ଏବଂ ଅନୁଗୁଳବାସୀଙ୍କୁ ଭୁଲ ମାଗିଥିଲେ। ଆଗକୁ ଏ ପରି ଭୁଲ୍ ହେବ ନାହିଁ ବୋଲି କହିବା ସହ ୧୦ ମିନିଟ ଭିତରେ ଲାଇନ୍ ଦେବାକୁ କହିଥିଲେ।