ଅନୁଗୁଳ: ଅନୁଗୁଳ ବ୍ଲକ୍ ବ୍ରହ୍ମପୁର ଗାଁର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଆର୍ତ୍ତତ୍ରାଣ ପ୍ରଧାନ (୮୦) ଆଜି ତାଙ୍କ ବାସଭବନରେ ପରଲୋକ ହୋଇଛି। ଗତ କିଛିଦିନ ଧରି ଅସୁସ୍ଥ ଥିବାରୁ ସେ ଚିକିତ୍ସାଧୀନ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ, ପୂର୍ବତନ ଛାତ୍ରଛାତ୍ରୀ ଓ ଆତ୍ମୀୟ ସ୍ୱଜନମାନେ ତାଙ୍କ ଘରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି। ସେ ଜଣେ କର୍ତ୍ତବ୍ୟନିଷ୍ଠ, ମିଷ୍ଟଭାଷୀ ଓ ବନ୍ଧୁ ବତ୍ସଳ ବ୍ୟକ୍ତିତ୍ବ ଭାବେ ଅଞ୍ଚଳରେ ଜଣାଶୁଣା ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ, ପୁତୁରା, ଝିଅ, ଝିଆରୀ, ବୋହୂ, ନାତି, ନାତୁଣୀ, ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ। ପରେ ଏକ ବିଶାଳ ଶୋଭାଯାତ୍ରା ସହ ଗାଁ ଶ୍ମଶାନରେ ତାଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟ ହୋଇଯାଇଛି।