ଅନୁଗୋଳ: ଫାସଟ୍ୟାଗ୍ (FASTag) ଅନଲାଇନ୍ ସୂଚନା ଖୋଜୁଥିବା ଜଣେ ଅବସରପ୍ରାପ୍ତ ନାଲକୋ କର୍ମଚାରୀ ସାଇବର ଠକଙ୍କ ହାବୁଡ଼ରେ ପଡ଼ି ୧୫ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିଲେ। ହେଲେ ଅନୁଗୁଳ ସାଇବର କ୍ରାଇମ ଓ ଇକୋନୋମିକ୍ ଅଫେନ୍ସେସ୍ ପୋଲିସର ତୁରନ୍ତ ହସ୍ତକ୍ଷେପ ଯୋଗୁଁ ବଡ଼ଧରଣର କ୍ଷତିରୁ ବର୍ତ୍ତି ଯାଇଛନ୍ତି।
ଗତ ଜୁନ୍ ୭ ତାରିଖରେ ଠକମାନେ ଏନ୍ଏଚ୍ଏଆଇ ପ୍ରତିନିଧି ପରିଚୟ ଦେଇ ଏକ କ୍ଷତିକାରକ ଏପିକେ (APK) ଆପ୍ ଇନଷ୍ଟଲ୍ କରାଇବା ସହ କଲ୍ ଫରୱାର୍ଡିଂ ଜରିଆରେ ଠକେଇ କରିଥିଲେ। ଏସବିଆଇ ୟୋନୋ ଜରିଆରେ ୫ ଲକ୍ଷ ଲେଖାଏଁ ତିନୋଟି ଅନଧିକୃତ କାରବାରରେ ମୋଟ ୧୫ ଲକ୍ଷ ଟଙ୍କା ଉଠାଇ ନେଇଥିଲେ। ତେବେ ପୁଲିସର ତତ୍ପରତା ଯୋଗୁଁ ତୃତୀୟ ପର୍ଯ୍ୟାୟର ୫ ଲକ୍ଷ ଟଙ୍କାକୁ ବ୍ୟାଙ୍କ ଜରିଆରେ ସିଜ୍ କରାଯାଇଥିଲା।
ଆଜି ଅନୁଗୋଳ ପୁଲିସ ପକ୍ଷରୁ ସେହି ଉଦ୍ଧାର ହୋଇଥିବା ୫ ଲକ୍ଷ ଟଙ୍କା କ୍ଷତିଗ୍ରସ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇଛି। ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଥିବାବେଳେ ଅବଶିଷ୍ଟ ଟଙ୍କା ଉଦ୍ଧାର ପାଇଁ ପୁଲିସର ତଦନ୍ତ ଜାରି ରହିଛି।