ଅନ୍ୟାନ୍ୟ

ହିଡିସିଂ ଜଳସେଚନ ପ୍ରକଳ୍ପର ସମୀକ୍ଷା କଲେ ଉପବାଚସ୍ପତି

By Angul TV Bureau

October 23, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ନନ୍ଦପୁର ପଞ୍ଚାୟତ କରଡାସିଙ୍ଗଠାରେ ପ୍ରସ୍ତାବିତ ହିଡିସିଂ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ କାର୍ଯ୍ୟ ଆଗେଇଛି। ଏହି ପ୍ରକଳ୍ପ ଯୋଗୁଁ ପାଣିରେ ବୁଡୁଥିବା କରତପଟା-ପମ୍ପାସର ପୂର୍ଭବିଭାଗ ରାସ୍ତା ନିମନ୍ତେ ଡାହାଣପାର୍ଶ୍ଵ ପାହାଡ଼ ଉପରେ ଏକ ବିକଳ୍ପ ରାସ୍ତା ନିର୍ମାଣ ହେବ । ହିଡିସିଂ ଜଳସେଚନ ପ୍ରକଳ୍ପ କାର୍ଯ୍ୟ କେମିତି ଅଗ୍ରଗତି ହେବ, ଜିଲାର ଅନ୍ୟ ପ୍ରକଳ୍ପଗୁଡିକ ସଂକ୍ରାନ୍ତରେ ଅନୁଗୋଳ ସର୍କିଟ ହାଉସ୍‌ରେ ଓଡିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଶୁକ୍ରବାର ଏକ ସମୀକ୍ଷା ବୈଠକ କରିଥିଲେ। ହିଡିସିଂ ପ୍ରକଳ୍ପ ପାଇଁ ମୋଟ ୩ଶହ ହେକ୍ଟର ଜମି ଆବଶ୍ୟକ । ପ୍ରକଳ୍ପ ନିର୍ମାଣ ହେଲେ ପୂର୍ତ୍ତବିଭାଗ ରାସ୍ତାର ୩.୫ କିଲୋମିଟର ପାଣିରେ ବୁଡିବ। ଉକ୍ତ ରାସ୍ତା ପରିବର୍ତ୍ତେ ୫ କିଲୋମିଟର ନୂତନ ରାସ୍ତା କରତପଟା ଗ୍ରାମ ଦେଇ ପବଲା, କୃଷ୍ଣଚକ୍ରଗଡ଼ ଜଙ୍ଗଲ ଦେଇ ପମ୍ପାସର ପୋଲ ପାଖରେ ମିଶିବ । ପ୍ରକଳ୍ପ ଓ ରାସ୍ତା ବୁଡି ଅଞ୍ଚଳ, ନୂତନ ରାସ୍ତା ନିର୍ମାଣ ହେଲେ ସମୁଦାୟ ୮୭ ହେକ୍ଟର ଜଙ୍ଗଲ ଜମି ନଷ୍ଟ ହେଉଛି। ଏହାର ଭରଣା ପାଇଁ ଦେବଗଡ଼ ବନଖଣ୍ଡର ପାଲଲହଡ଼ା ରେଞ୍ଜ ବରାଡ଼ିହ, କାଦମ୍ବିନୀପୁର, ତନୁଗୁଳା ଅଞ୍ଚଳରୁ ୯୪ ହେକ୍ଟର ସରକାରୀ ଜମି ଏବଂ ଅନୁଗୋଳ ବନଖଣ୍ଡ ଅଞ୍ଚଳରୁ ୧୨୦ ହେକ୍ଟର ଖୋଲା ଜଙ୍ଗଲ ଜମିରେ ସମୁଦାୟ ୭୦ ହଜାର ଗଛ ଲାଗିବ। ସେହିପରି ରାସ୍ତା ନିର୍ମାଣ ପାଇଁ ପିଲର ପୋଲିଂ, ଡିଜିପିଏସ, ଜିପିଏସ ରିଡିଙ୍ଗ ହେବା ସହ ମ୍ୟାପ କାର୍ଯ୍ୟ ସରିଛି। କାର୍ଯ୍ୟ କେମିତି ତ୍ବରାନ୍ବିତ ହେବ ସେ ନେଇ ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା। ସମୀକ୍ଷା ବୈଠକରେ ଜିଲାପାଳ ସିଦ୍ଧାର୍ଥଶଙ୍କର ସ୍ଵାଇଁ, ଅତିରିକ୍ତ ଜିଲାପାଳ ସନ୍ତୋଷ ପ୍ରଧାନ, ଉପଜିଲାପାଳ ବାସୁଦେବ ଶତପଥୀ, ଅନୁଗୋଳ ତହସିଲଦାର, ବନବିଭାଗ ଓ ଜଳସେଚନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।