ମୁଖ୍ୟ ଖବର

ଅଙ୍ଗଦାନ କରି ଅମର ହେଲେ ରିତେଶ: ମୃତ୍ୟୁ ପରେ ବି ତିନି ଜଣଙ୍କୁ ଦେଲେ ନୂଆ ଜୀବନ

By Angul TV Bureau

March 10, 2026

ଅନୁଗୁଳ: ଜଣେ ବ୍ୟକ୍ତି ଚାଲିଗଲେ ସତ, କିନ୍ତୁ ଅନ୍ୟ ତିନି ଜଣଙ୍କ ପାଇଁ ସେ ସାଜିଲେ ଦେବଦୂତ। ଅଙ୍ଗଦାନ ଭଳି ମହତ କାର୍ଯ୍ୟ କରି ନିଜେ ଅମର ହେବା ସହ ସମାଜ ପାଇଁ ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ଅନୁଗୁଳ ଜିଲ୍ଲାର ରିତେଶ କୁମାର ପ୍ରଧାନ।

ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ସେରେଣ୍ଡା ଗ୍ରାମର ରିତେଶ କୁମାର ପ୍ରଧାନ ନିଜ ପରିବାର ସହ ଅନୁଗୁଳରେ ରହୁଥିଲେ। ଗତ ହୋଲି ଦିନ ଶରଧାପୁର ନିକଟରେ ଏକ ମୋଟରସାଇକେଲ ଦୁର୍ଘଟଣାରେ ସେ ଗୁରୁତର ହୋଇଥିଲେ। ପ୍ରଥମେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ରିତେଶଙ୍କ ମସ୍ତିଷ୍କ କାମ କରିବା ବନ୍ଦ କରିଦେଇଥିଲା। ବଞ୍ଚିବା ଆଶା କ୍ଷୀଣ ଥିବା ଜାଣିବା ପରେ, କିଛି ବନ୍ଧୁଙ୍କ ପରାମର୍ଶ ଓ ଅଙ୍ଗଦାନର ମହତ୍ତ୍ୱକୁ ବୁଝି ତାଙ୍କ ପତ୍ନୀ ଏବଂ ପରିବାର ବର୍ଗ ଏକ କଠିନ ତଥା ମହତ ନିଷ୍ପତ୍ତି ନେଇଥିଲେ।

ରିତେଶଙ୍କ ଦୁଇଟି କିଡନୀ ଓ ଲିଭର ଦାନ କରାଯାଇଥିଲା, ଯାହା ଦ୍ୱାରା ତିନି ଜଣ ମୁମୂର୍ଷୁ ବ୍ୟକ୍ତିଙ୍କୁ ନୂତନ ଜୀବନ ମିଳିପାରିଛି।ଆଜି ରିତେଶଙ୍କ ମୃତଦେହ ଅନୁଗୁଳରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତାଙ୍କର ଏହି ନିସ୍ୱାର୍ଥପର ସେବା ପାଇଁ ପ୍ରଶାସନ ପକ୍ଷରୁ ତାଙ୍କୁ ‘ଗାର୍ଡ ଅଫ ଅନର’ ପ୍ରଦାନ କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।