ମୁଖ୍ୟ ଖବର

କାରକୁ ପଛରୁ ପିଟିଲା ବାଇକ୍: ଜଣେ ମୃତ, ଜଣେ ଗୁରୁତର

By Angul TV Bureau

September 12, 2024

ଅନୁଗୁଳ: କାରକୁ ପଛ ଆଡ଼ୁ ପିଟିଲା ବାଇକ୍। ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମୂଷାପାପୁଲି ବୃନ୍ଦାବନ ଢାବା ସମ୍ମୁଖରେ ଏହି ଦୁର୍ଘଟଣା ଘଟିଥିଲା। ମୃତକ ହେଲେ ଜରପଡ଼ା ଥାନା ଅନ୍ତର୍ଗତ ତୁବେ ପଞ୍ଚାୟତର କଣ୍ଢେଇସାହି ଗ୍ରାମର ସନ୍ତୁ ବେହେରାଙ୍କ ପୁଅ ଜଗବନ୍ଧୁ ବେହେରା (୨୧)।

ସୂଚନା ମୁତାବକ, ବନ୍ତଳା ଥାନା ଅନ୍ତର୍ଗତ ତୁମୁଣି ଗ୍ରାମର ଅଟଳ ବିହାରୀ ଖୁଣ୍ଟିଆଙ୍କ ପୁଅ ଆକାଶ ଖୁଣ୍ଟିଆ (୨୧) ଓ ଜଗବନ୍ଧୁ ଏକ ବାଇକରେ ଅନୁଗୁଳ ଆସୁଥିଲେ। ବୃନ୍ଦାବନ ଢାବା ସମ୍ମୁଖରେ ସେମାନେ ଏକ କାର ପଛରେ ପିଟି ହୋଇ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ଜଗବନ୍ଧୁଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଆକାଶଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।