ଘଟଣା ଓ ଦୁର୍ଘଟଣା

ବାହାଘର ଭୋଜିକୁ ଯିବା ହେଲା କାଳ! ବାଇକ ଗଛରେ ପିଟି ହୋଇ ଜଣେ ମୃତ, ଜଣେ ଗୁରୁତର

By Sanjeeb Biswal

March 02, 2024

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ଗଡମଣ୍ଡଳଠାରେ ଭାରସାମ୍ୟ ହରାଇ ଏକ ବାଇକ ଗଛରେ ପିଟି ହୋଇଯିବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ପାତ୍ରପଡ଼ା ଗ୍ରାମର ଗିରିଶ ବାରିକ ଓ ଆହତ ହେଲେ ସେହି ଗ୍ରାମର ଲିଟନ ସାହୁ।

ସୂଚନା ମୁତାବକ, ଗିରିଶ ଏବଂ ଲିଟନ ମୋଟର ସାଇକେଲରେ ନିଜ ଗ୍ରାମ ପାତ୍ରପଡ଼ାରୁ ନୂଆଗାଁକୁ ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡର ପୋତାଯାଇଥିବା ସୁରକ୍ଷା ଖୁଣ୍ଟରେ ପିଟି ହୋଇଯାଇଥିଲର। ଫଳରେ ଘଟଣାସ୍ଥଳରେ ଗିରିଶର ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକ ଲିଟନକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ଖବର ପାଇ ବାଗଡିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ମୋଟର ସାଇକେଲ ଓ ଶବକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଏନେଇ ପୋଲିସ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଘଟଣାର ତଦନ୍ତ ଚଳାଇଛି।