ମୁଖ୍ୟ ଖବର

ଭୋଜି ଖାଇ ଫେରିବା ବେଳେ ରାସ୍ତାରେ ଜଗିଥିଲା ଯମ! ବାଇକ ଦୁର୍ଘଟଣାରେ ଜଣେ ଯୁବକ ମୃତ, ୩ ଗୁରୁତର

By Angul TV Bureau

December 15, 2024

ଅନୁଗୁଳ: ଭୋଜି ଖାଇ ଫେରିବା ବେଳେ ରାସ୍ତାରେ ଜଗିଥିଲା ଯମ। ବାଇକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ନରି ସାହୁ (୨୪)। ଗୁରୁତରମାନେ ହେଲେ ମଣ୍ଟୁ ସାହୁ(୨୩), କଇରା ସାହୁ(୨୫) ଓ ରାହୁଲ ସାହୁ (୨୪)। ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ବନ୍ତଳା ପଞ୍ଚାୟତ ଜରାଓରପୁର ଗାଁ ଢିପସାହିରୁ ଆଜି ୧୦ରୁ ଅଧିକ ଯୁବକ ଭୋଜି କରିବାକୁ ପମ୍ପାସର ଅଞ୍ଚଳକୁ ଯାଇଥିଲେ। ସେଠାରେ ଭୋଜି ସରିବା ପରେ ବାଇକ ଯୋଗେ ଘରକୁ ଫେରୁଥିଲେ। ପୁରୁଣାକୋଟ ଥାନା ବନଦୁର୍ଗା ମନ୍ଦିର ନିକଟରେ ପ୍ରଥମେ ଗୋଟିଏ ବାଇକ ଝରଣା ପୋଲ ବାଡ଼ରେ ପିଟି ହୋଇଯାଇଥିଲା। ଫଳରେ ସେଥିରେ ବସିଥିବା ଦୁଇଜଣ ଯୁବକ ରାସ୍ତା ଉପରେ କଚାଡି ହୋଇ ପଡ଼ିଥିଲେ। ପରେ ପରେ ପଛରୁ ଆସୁଥିବା ତାଙ୍କ ସାଥୀଙ୍କ ବାଇକ ମଧ୍ୟ ସେଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେଥିରେ ବସିଥିବା ୨ଜଣ ଯୁବକ ମଧ୍ୟ ରାସ୍ତା ଉପରେ ପିଟି ହୋଇ ପଡ଼ିଥିଲେ। ତେବେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ନରି ସାହୁ (୨୪)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଅନ୍ୟ ୩ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତେବେ ମୃତ ଯୁବକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ପୁରୁଣାକୋଟ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।