ମୁଖ୍ୟ ଖବର

୧୪୯ ନମ୍ବର ଜାତୀୟ ରାଜପଥ ମରାମତି ଦାବିରେ ରାସ୍ତା ଓ ରେଳରୋକ

By Angul TV Bureau

September 30, 2026

ଅନୁଗୋଳ: ୧୪୯ ନମ୍ବର ଜାତୀୟ ରାଜପଥର ଦୁର୍ବଳ ଅବସ୍ଥା ଓ ବାରମ୍ବାର ଦୁର୍ଘଟଣାକୁ ନେଇ ପୂର୍ବତନ ସାଂସଦ ତଥା ତାଳଚେର-ପାଳଲହଡ଼ାର ପୂର୍ବତନ ବିଧାୟକ ମହେଶ ସାହୁଙ୍କ ନେତୃତ୍ୱରେ ବୁଧବାର ରାସ୍ତା ଓ ରେଳରୋକ ଆନ୍ଦୋଳନ କରାଯାଇଛି। ତାଳଚେର ବାଙ୍କଧରା ଲେଭଲ୍‌ କ୍ରସିଂ ନିକଟରେ ଆନ୍ଦୋଳନକାରୀମାନେ ଜାତୀୟ ରାଜପଥ ସହ ରେଳପଥ ଅବରୋଧ କରିଥିଲେ।

ଏହା ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ଅଟକି ରହିଥିବାବେଳେ ରେଳ ଅବରୋଧ ଯୋଗୁଁ ଏନ୍‌ଟିପିସିକୁ କୋଇଲା ପରିବହନ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ରାସ୍ତାରେ ବଡ଼ ବଡ଼ ଖାଲ ଖମା ଯୋଗୁଁ ଯାତାୟାତ ବିପଦସଙ୍କୁଳ ହୋଇପଡ଼ିଥିବା ଅଭିଯୋଗ କରି ତୁରନ୍ତ ମରାମତି ଦାବି କରାଯାଇଥିଲା।ମହେଶ ସାହୁ କହିଛନ୍ତି, ଦାବି ପୂରଣ ନହେବା ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଆନ୍ଦୋଳନ ଜାରି ରହିବ। ଆସନ୍ତା ଶନିବାର ଗୋଡ଼ିବନ୍ଧ ନିକଟ ନୂଆ ବଲଣ୍ଡାଠାରେ ରେଳରୋକ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ରାସ୍ତା ମରାମତି ନହେବା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ଉପରେ କଟକଣା, କୋଇଲା ଖଣିର ରୋଡ୍‌ ସେଲ୍‌ ବନ୍ଦ କରି ରାସ୍ତା ମରାମତି ଆଦି ଦାବି ମଧ୍ୟ ରହିଛି।

ଆନ୍ଦୋଳନକୁ ଟ୍ରକ୍‌ ମାଲିକ ସଂଘ ସମର୍ଥନ କରିଥିଲା। ଦିଲ୍ଲୀପ ପାଣିଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତା, ଜିଲ୍ଲା ପରିଷଦ ସଦସ୍ୟା ରିତାରାଣୀ ଦାସ ଓ ବହୁ ସମର୍ଥକ ଏଥିରେ ସାମିଲ ହୋଇଥିଲେ। ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆନଗଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସାହୁ ଚେତାବନୀ ଦେଇଛନ୍ତି।