ଘଟଣା ଓ ଦୁର୍ଘଟଣା

ଜାତୀୟ ରାଜପଥର ଦୁରାବସ୍ଥା ନେଇ ରାସ୍ତା ଅବରୋଧ

By Angul TV Bureau

November 25, 2021

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଏପର୍ଯନ୍ତ ଶେଷ ହେଉନଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଗୁରୁବାର ବଅଁରପାଳ ନୂଆହତା ଗ୍ରାମ ଟେଲକୋ ଛକଠାରେ ରାସ୍ତା ଅବରୋଧ କରିଥିଲେ। ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ଯେ, ଏହି ରାଜପଥ ଦେଇ ନିତିଦିନ ଯାତାୟାତ କରୁଥିବା ଯାତ୍ରୀମାନେ ଜାତୀୟ ରାଜପଥର ଦୁରାବସ୍ଥା ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ସଂପୂର୍ଣ୍ଣ ହେଉନାହିଁ। ବଅଁରପାଳ ଅଞ୍ଚଳର ନୂଆହତା ଜୋରାଗାଡ଼ିଆ ଠାରୁ ଆରମ୍ଭ କରି ଗୋତମରା ସାପ୍ତାହିକ ହାଟ ପର୍ଯ୍ୟନ୍ତ ରାସ୍ତାରେ ବଡ଼ ବଡ଼ ଖାଲ ବିପଦ ପୂର୍ଣ୍ଣ ହୋଇ ଏହା ମରଣଯନ୍ତା ପାଲଟିଛି। ପ୍ରତିଦିନ ଏହି ରାସ୍ତାରେ ବହୁ ସଂଖ୍ୟାରେ ଗାଡ଼ି ଚଳାଚଳ କରୁଥିବାରୁ ରାସ୍ତାର ଧୂଳି ଓ ଧୂଆଁରେ ଆଖ ପାଖ ଅଞ୍ଚଳ ପ୍ରଦୁଷିତ ହେଉଛି। ଗତ ୯ ତାରିଖରେ ପ୍ରଶାସନିକ ଅଧିକାରୀ ମାନଙ୍କୁ ଲିଖିତ ଭାବରେ ଜଣାଇ ଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ତେଣୁ ଅଞ୍ଚଳବାସୀ ରାସ୍ତାରେ ନୂତନ ପିଚୁ କାମ କରିବାକୁ ଦାବି କରି ସକାଳ ପ୍ରାୟ ୫ଟାରୁ ଶାନ୍ତିପୂର୍ଣ୍ଣ ଭାବେ ବଅଁରପାଳ ନୂଆହତା ଗ୍ରାମ ଟେଲକୋ ଛକ ନିକଟରେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ପ୍ରାୟ ୫ ଘଣ୍ଟା ପରେ ବଅଁରପାଳ ଥାନା ଅଧିକାରୀ ନରେଶ ସାହୁ ଓ ବଅଁରପାଳ ତହସିଲଦାର ଜିତେନ୍ଦ୍ର କୁମାର ସାହୁ ପହଁଞ୍ଚି ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ। ଏ ସମସ୍ୟାର ସ୍ଥାୟୀ ସମାଧାନ ନେଇ ଅଞ୍ଚଳବାସୀଙ୍କର ଏକ ୧୦ ଜଣିଆ କମିଟି ଗଠନ କରି ଆସନ୍ତା ସୋମବାର ଦିନ ୩ଟାରେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଏକ ବୈଠକ ଅନୁଷ୍ଠିତ କରାଯିବ। ରାସ୍ତାରେ ଧୂଳି ଉଡ଼ିବାକୁ ବନ୍ଦ କରିବା ପାଇଁ ପାଣି ପକାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ସ୍ଥାନୀୟ ଜନସାଧାରଣ ରାସ୍ତା ଅବରୋଧରୁ ଓହରିଥିଲେ।